ହିମସ୍ଖଳନ: ୮ ଜଣଙ୍କ ମୃତ, ୩୮୪ ଉଦ୍ଧାର

0 157

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତ ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲାସିୟର ଫାଟିବା ପରେ ସୃଷ୍ଟି ହୋଇଥିବା ହିମସ୍ଖଳନରେ ଏଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ବରଫ ଅତଡ଼ା ତଳୁ ଆଉ ୩୮୪ ଜଣଙ୍କୁ ଜୀବନ୍ତଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଗ୍ଲାସିୟର ଫାଟିବା ପରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଫଳରେ ବର୍ଡର ରୋଡ ଅର୍ଗାନାଇଜେସନ (ବିଆରଓ) ଗୋଟିଏ କ୍ୟାମ୍ପ ଓ ଦୁଇଟି ଶ୍ରମିକ କ୍ୟାମ୍ପ ପ୍ରଭାବିତ ହୋଇଥିଲା । ସୀମାନ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ରୋଡ ମରାମିତି କାମରେ ବିଆରଓ ଯବାନ ନିୟୋଜିତ ଥିଲେ । ଘଟଣା ପରେ ତୁରନ୍ତ ଭାରତୀୟ ସ୍ଥଳସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ଆର୍ମି କ୍ୟାମ୍ପ ମାତ୍ର ୩ କିମି ଦୂରରେ ରହିଥିଲେ ହେଁ ଖରାପ ପାଗ ଯୋଗୁ ସେମାନେ ଆଗକୁ ବଢ଼ିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେ ବି ଆର୍ମି ଓ ଏସଡିଆରଏଫ ପକ୍ଷରୁ ହିମସ୍ଖଳନ ଘଟିଥିବା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି । ଭୂସ୍ଖଳନ ଯୋଗୁ ଅତିକମରେ ୫ଟି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ସନ୍ଧ୍ୟାରୁ ଯୋଶୀମଠର ବିଆରଟିଏଫ ଯବାନମାନେ ଭାପକୁଣ୍ଡରୁ ସୁମନା ଯାଏ ରାସ୍ତାକୁ ସଫା କରିବାରେ ଲାଗିଛନ୍ତି । ସଂପୂର୍ଣ୍ଣ ଯୋଗାଯୋଗ ପାଇଁ ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି । ଶୁକ୍ରବାର ନୀତି ଉପତ୍ୟକାର ସୁମନା ଅଞ୍ଚଳରେ ଘଟିଥିବା ହିମସ୍ଖଳନ ବିପର୍ଯ୍ୟୟକୁ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂହ ରାୱତ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି । ସ୍ଥିତିକୁ ଯାଞ୍ଚ କରିବା ପରେ ସେ କହିଛନ୍ତି, ବିଆରଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ହେଲେ ଯୋଗାଯୋଗ ସଂପୂର୍ଣ୍ଣ ଚ୍ଛିନ୍ନ ହୋଇ ଯାଇଛି । ତୁଷାରପାତ ଯୋଗୁ ଅଧିକାଂଶ ରାସ୍ତା ବନ୍ଦ ହୋଇ ପଡ଼ିଛି । ତେବେ ଆଖପାଖ ଗାଁ ଓ ଗୁହାଳରେ କୌଣସି ପ୍ରକାରର କ୍ଷତି ଘଟିନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.