ବଢ଼ିଲା ଅନୀଲ ଦେଶମୁଖଙ୍କ ଅଡ଼ୁଆ,ମାମଲା ରୁଜୁ କଲା ସିବିଆଇ

0 146

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ପଦବୀରେ ଥିବା ବେଳେ ପୁଲିସ ଅଧିକାରଙ୍କୁ ବଟି ଆଦାୟ କରିବା ମାମଲାରେ ବଢ଼ିଲା ଏନସିପି ବିଧାୟକ ଅନୀଲ ଦେଶମୁଖଙ୍କ ଅଡୁଆ । ଶନିବାର ସିବିଆଇ ମହାରାଷ୍ଟ୍ରର ଏହି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛି । ଏଥିସହ ଦେଶମୁଖଙ୍କ ସହ ଜଡିତ ମାମଲାରେ ସିବିଆଇ ବିଭିନ୍ନ ଦେଶରେ ରେଡ୍ କରୁଥିବା ସୂଚନା ରହିଛି । ବମ୍ୱେ ହାଇକୋର୍ଟରେ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆଣିଥିଲେ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ । ଏହାପରେ କୋର୍ଟ ସିବିଆଇକୁ ପ୍ରାଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଏବେ ମାମଲା ରୁଜୁ କରିବା ପରେ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଛି । ସିବିଆଇ ପ୍ରାଥମିକ ତଦନ୍ତ କରିବା ବେଳେ ଦେଶମୁଖଙ୍କ ବିରୋଧରେ ଅନେକ ପ୍ରମାଣ ପାଇଥିବା ଜଣାପଡ଼ିଛି । ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତ ରହିଛି । ଯେଉଁମାନଙ୍କୁ ପ୍ରାଥମିକ ତଦନ୍ତ ବେଳେ ଚିହ୍ନଟ କରାଯାଇ ପାରିନାହିଁ । ତେଣୁ ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି । ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଏକ ଅଭିଯୋଗ ଦାଖଲ କରିଥିଲେ । ଦେଶମୁଖ ନିଲମ୍ବିତ ଏପିଆଇ ସଚିନ୍ ବାଜେଙ୍କ ସମେତ ଆଉ କିଛି ପୁଲିସ କର୍ମଚାରୀଙ୍କୁ ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସକୁ ଏକ ଚିଠି ମଧ୍ୟ ପଠାଇଥିଲେ । ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରମବୀର । ହେଲେ କୋର୍ଟ ଏହି ମାମଲାରୁ ଗମ୍ଭୀର ବୋଲି କହିବା ସହିତ ବମ୍ୱେ ହାଇକୋର୍ଟଙ୍କ ଯିବାକୁ କହିଥିଲେ । ଏହାପରେ ଦେଶମୁଖଙ୍କ ବିରୋଧରେ ପିଆଇଏଲ ଦାଖଲ କରିଥିଲେ । ଆଉ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଦେଶମୁଖ ଏବଂ ମହାରାଷ୍ଟ୍ର ସରକାର । ହେଲେ କୋର୍ଟ ଖାରଜ କରି ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବଳବତ୍ତର ରଖିଥିଲେ । ସୂଚନାଯୋଗ୍ୟ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ଏକ ପ୍ରେସ କନଫରେନସ କରିଥିଲେ । ଯେଉଁଥିରେ ସେ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିଲେ । ପରମବୀରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ।

Leave A Reply

Your email address will not be published.