ପଶ୍ଚିମବଙ୍ଗର ଅକ୍ସିଜେନକୁ ଉତ୍ତରପ୍ରଦେଶ ପଠାଉଛି କେନ୍ଦ୍ର
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗ ପାଇଁ ଯେଉଁ ଅକ୍ସିଜେନ ବ୍ୟବସ୍ଥା ରହିଛି ତାହାକୁ ଅନ୍ୟ ରାଜ୍ୟକୁ ପଠାଇ ଦେଉଛି କେନ୍ଦ୍ର ସରକାର । କେନ୍ଦ୍ରର ଏଭଳି ପଦକ୍ଷେପ ଦ୍ୱାରା ତାଙ୍କ ରାଜ୍ୟରେ ଅକ୍ସିଜେନର ଅଭାବ ସୃଷ୍ଟି ହେବାକୁ ଯାଉଛି । ଆଉ ଯେଉଁମାନେ କୋଭିଡରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଜୀବନ ବିପଦ ମୁହଁରେ ଥିବା ମମତା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ୨୦୨୦ରେ କେନ୍ଦ୍ର ସରକାରଙ୍କୁ ଅକ୍ସିଜେନ ସଂରକ୍ଷଣ ବୃଦ୍ଧି କରିବାକୁ କହିଥିଲେ, କିନ୍ତୁ କେନ୍ଦ୍ର ଏହି ପରାମର୍ଶକୁ ଅଣଦେଖା କରିଛି । ତେଣୁ ସାରା ଦେଶ ଏବେ ଅକ୍ସିଜେନର ସଙ୍କଟ ଦେଖିବାକୁ ମିଳିଛି । ଏବେ କେନ୍ଦ୍ର ସରକାର ବେଙ୍ଗଲ ପାଇଁ ଧାର୍ଯ୍ୟ ହୋଇଥିବା ଅକ୍ସିଜେନକୁ ଉତ୍ତରପ୍ରଦେଶକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ମମତା କହିଛନ୍ତି । ମମତା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମକୁ ଅକ୍ସିଜେନ ଯୋଗାଉଥିବା କମ୍ପାନୀକୁ ଉତ୍ତରପ୍ରଦେଶକୁ ଅକ୍ସିଜେନ ପଠାଇବାକୁ କୁହାଯାଇଥିଲା । ଏହା ଆମ ରାଜ୍ୟରେ ଅକ୍ସିଜେନ ସଙ୍କଟ ବଢ଼ାଇବ । ତେବେ ନିଜେ ନେଇଥିବା ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ସିଜେନ ଏବଂ ଔଷଧର ସଙ୍କଟ ଏବେ ଦେଖାଦେଇଛି । ଯେଉଁ ଶିଳ୍ପକୁ ଅକ୍ସିଜେନ ଯାଉଥିଲା ସେଥିରେ ସାମୟିକ ରୋକ ଲଗାଯାଇଛି । ଏହି ଅକ୍ସିଜେନକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆମ ସରକାର ୫ ହଜାର ସିଲିଣ୍ଡରର ଏକ ଷ୍ଟକ୍ ବ୍ୟବସ୍ଥା କରିଛି । ସେଠାରେ ୧୫ ହଜାର ସିଲିଣ୍ଡରର ଅତିରିକ୍ତ ଷ୍ଟକ୍ ଅଛି । ଆଗାମୀ କିଛି ଦିନ ପାଇଁ ଆମର ଆବଶ୍ୟକତା ପୂରଣ କରିବାକୁ ୨୦ ହଜାର ସିଲିଣ୍ଡର ଷ୍ଟକ୍ କରାଯିବ । ପଶ୍ଚିମବଙ୍ଗରେ ଉପଲବ୍ଧ ମେଡିକାଲ ଅକ୍ସିଜେନକୁ ଅନ୍ୟ କୌଣସି ସ୍ଥାନକୁ ପଠାନ୍ତୁ ନାହିଁ ବୋଲି ଏବେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମମତା । ଏଥିସହ ରାଜ୍ୟର ଆବଶ୍ୟକତାକୁ ବିଚାର କରିବାକୁ ଅନୁରୋଧ କରିଛନ୍ତି ମମତା ବାନାର୍ଜୀ ।