ଟିଏମସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କର ପରଲୋକ

0 141

କୋଲକାତା, ୨୫ ।୪ : କୋଭିଡକୁ ନେଇ ସାରା ଦେଶ ଏବେ ହାହା କାର । ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ସ୍ଥିତି ଏମିତି ଯେ ଏବେ ଏହି ଘାତକ ମହାମାରୀ ଥମିବାର ନାଁ ନେଉନାହିଁ । କି ଗରିବ କି ଧନୀ କେହି ବି କୋଭିଡ କୋପରୁ ବର୍ତ୍ତିପାରୁ ନାହାନ୍ତି । ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ୟୁପି ପରେ ଏବେ କୋଭିଡର ହଟସ୍ପଟ ପାଲଟିଛି ପଶ୍ଚିମବଙ୍ଗ । ପ୍ରତି ଦୁଇ ଜଣେ ଜଣେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଏହାରି ଭିତରେ ଟିଏମସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କର ପରଲୋକ ହୋଇଛି । ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ବିଧାୟକ ପ୍ରାର୍ଥୀ ଦୁଇ ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ବେଲିଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ କିନ୍ତୁ ତାଙ୍କର ପରଲୋକ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍ କରି କାଜଲଙ୍କ ମୃତ୍ୟୁ ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି । ଏଥିସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ସେ ଜଣେ ସଚ୍ଚୋଟ ଟିଏମସି କର୍ମୀ ଥିଲେ । ନିର୍ବାଚନ ବେଳେ ଦିନ ରାତି ୨୪ ଘଣ୍ଟା ଦଳ ପାଇଁ ପ୍ରଚାର କରୁଥିଲେ ବୋଲି ମମତା କହିଛନ୍ତି । ସବୁଠୁ ବଡ଼ କଥା ହେଲେ କାଜଲ ସିହ୍ନା ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ ସେହି ଆସନ ପାଇଁ ଏପ୍ରିଲ ୨୨ରେ ଭୋଟ୍ ପଡ଼ିଥିଲା । ତେଣୁ ଆଉ କିଛି ଦିନ ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଥିଲା । ଏହା ପୂର୍ବରୁ କିନ୍ତୁ କାଜଲ ସିହ୍ନା ପରପାରୀକୁ ଚାଲିଯାଇଛନ୍ତି । କାଜଲଙ୍କ ବିୟୋଗରେ ତାଙ୍କ ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ସୂଚନାଯୋଗ୍ୟ, କରୋନାର ତୃତୀୟ ଷ୍ଟ୍ରେନ ବେଙ୍ଗଲରେ ଚିହ୍ନଟ ହୋଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଓ ଭୋଟିଂ ଚାଲିଛି । ଏହି ସମୟରେ ବିଭିତ୍ତ ରାଜନୀତିକ ଦଳ ଦ୍ୱାରା ହୋଇଥିବା ରାଲି ବେଳେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢ଼ୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.