ଲକ୍ଷେ୍ନø, ୨୫ ।୪ : ଗ୍ୟାଙ୍ଗଷ୍ଟାର ତଥା ବିଏସପି ବିଧାୟକ ମୁଖତାର ଅନସାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୁଇ ସପ୍ତାହ ତଳେ ସେ ବାନ୍ଦା ଜେଲରେ ଭର୍ତ୍ତି ହୋଇଥିଲେ । ଜେଲରେ ଭର୍ତ୍ତି କରାଯିବା ବେଳେ ମାଫିଆ ଡନ୍ ଅନସାରୀ କରୋନାରେ ସଂକ୍ରିମତ ହୋଇନଥିଲେ । ଏବେ କିନ୍ତୁ ସେ କରୋନାରେ ସଂକ୍ରମିତ ହୋଇଥିବା ଜେଲ୍ ପ୍ରଶାସନ କହିଛି । ଅନସାରୀଙ୍କ ସହିତ ଜେଲରେ ସଜା କାଟୁଥିବା ଆଉ କିଛି ଆକ୍ରାନ୍ତ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଅନସାରୀ କରୋନାରେ ସଂକ୍ରମିତ ହେବା ପରେ ଆଇସୋଲୋସନରେ ରଖାଯାଇଥିବା ସୂଚନା ରହିଛି । ଏବେ ଅନସାରୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । କରୋନା ଏବେ ବାୟୁମଣ୍ଡଳରେ ବ୍ୟାପୁଥିବାରୁ ଏବେ ଲୋକମାନେ ଘରେ ରହିଥିଲେ ମଧ୍ୟ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ୟୁପିରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ସ୍ଥିତି ଏମିତି ଯେ ହସ୍ପିଟାଲ ବାହାରେ ବସି ଆକ୍ରାନ୍ତ ଅକ୍ସିଜେନ ନେଉଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ନଥିବାରୁ ଅଳ୍ପ ସମୟ ଲେଖାଏଁ ସମସ୍ତଙ୍କୁ ଅକ୍ସିଜେନ ଯୋଗାଇ ଚିକିତ୍ସକ ବିକଳ୍ପ ବ୍ୟବସ୍ଥା କରୁଥିବା ସୂଚନା ରହିଛି । ପଞ୍ଜାବର ରୋପର ଜେଲରେ ମୁଖତାର ଅନସାରୀ ଏକ ମାମଲାରେ ଜେଲରେ ଥିଲେ । ମୁଖତାର ଅନସାରୀକୁ ଆଣିବା ପାଇଁ ୟୁପି ସରକାର ଏବଂ ପଞ୍ଜାବ ସରକାର ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ଗତ ମାସରେ ମାର୍ଚ୍ଚ ୨୬ରେ କୋର୍ଟ ଏହି ରାୟ ଦେବାବେଳେ ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏପ୍ରିଲ ୬ ତାରିଖ ଦିନ ଭୋର ୪ଟା ବେଳେ ଏହି ମାଫିଆ ଡନକୁ ବାନ୍ଦା ଜେଲରେ ପୁରାଇଥିଲା । ଡନକୁ ଆଣିବା ପାଇଁ ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ବାନ୍ଦା ପୁଲିସର ଏକ ଟିମ୍ ପଞ୍ଜାବର ରୋପଡ ଜିଲ୍ଲା ଜେଲ ଯାଇଥିଲା । ଏହି ଟିମରେ ପ୍ରାୟ ୮୦ ଜଣ ପୁଲିସ କର୍ମଚାରୀ ଏବଂ ଅଧିକାରୀ ସାମିଲ ହୋଇଥିଲେ ।