ଅମ୍ଳଜାନ ଅଭାବ ଦୂର ପାଇଁ ପଦକ୍ଷେପ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ

108

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡ ଯୋଗାଇବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ । ଯେତେ ଶୀଘ୍ର ସମ୍ଭବ ପ୍ଲାଣ୍ଟ ତିଆରି ହେବା ଦରକାର
ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘୋଷଣା କରି କହିଛି, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ । ଏହି ଯଥାଶୀଘ୍ର ତିଆରି ହୋଇ କାର୍ଯ୍ୟକ୍ଷମ ହେବ । ଏହି ପ୍ଲାଣ୍ଟ ହସ୍ପିଟାଲର ଦୈନନ୍ଦନ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ ସମେତ ଜିଲ୍ଲାରେ ଆବଶ୍ୟକ ଥିବା ଅକ୍ସିଜେନର ଅଭାବକୁ ଦୂର କରିବ ବୋଲି ପିଏମ୍ଓ ତରଫରୁ କୁହାଯାଇଛି ।

ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶରେ ୧୬୨ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପିଏମ୍ଓ ନିର୍ଦ୍ଦେଶ ଦେଇଥିଲା । ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ ହୋଇଥିଲା । ହେଲେ କୋଭିଡ୍ ସଂକ୍ରମଣ ଏହି ସମୟରେ କମି ଯାଇଥିବାରୁ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲଗୁଡ଼ିକରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରିରେ ଶୀଥିଳତା ପଡ଼ିଥିଲା ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦେଶରେ ୭୪୧ଟି ଜିଲ୍ଲା ରହିଛି । ଏବେ ୫୫୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନରେ ତିଆରି ହେଉଥିବା ଅକ୍ସିଜେନ୍ ଆଗାମୀ ଦିନରେ ଦେଶରେ ଆବଶ୍ୟକତାକୁ ପୂରଣ କରିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟତଃ ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ଦେଶର ସ୍ୱାସ୍ଥ୍ୟାବସ୍ଥା ଭିତ୍ତିଭୂମି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାରୁ ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍ ଯୋଗାଇବା କେନ୍ଦ୍ର ସରକାର ପାଇଁ କାଠିକର ହେବାରେ ଲାଗିଛି । ଏବେ ଚାହିଦା ତୁଳନାରେ ଅକ୍ସିଜେନ୍ର ଅଭାବ ଥିବାରୁ ଇଣ୍ଡୋନେସିଆ, ଋଷିଆ, ସାଉଦି ଆରବ ଏବଂ ଅନ୍ୟାନ୍ୟ ଦେଶରୁ ଭାରତ ଅକ୍ସିଜେନ୍ ଆମଦାନୀ କରୁଛି । ଏଥିସହ ଜର୍ମାନୀରୁ ପୋର୍ଟେବୁଲ୍ ଅକ୍ସିଜେନ୍ ପ୍ଲାଣ୍ଟ ଭାରତ ଆଣିବ ବୋଲି ନିଷ୍ପତ୍ତି ହୋଇଛି । ଏହି ପ୍ଲାଣ୍ଟ ହସ୍ପିଟାଲ ବାହାରେ ରଖାଯାଇ ଅକ୍ସିଜେନ୍ ତିଆରି କରିପାରିବ । ସେହିପରି ଦେଶରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଅକ୍ସିଜେନ୍ ତିଆରି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଏହି ଅକ୍ସିଜେନ୍ ପ୍ଲାଣ୍ଟକୁ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଅକ୍ସିଜେନ୍ ଏକ୍ସପ୍ରେସ୍ ଆରମ୍ଭ କରିବା ସହିତ ବାୟୁସେନାର ବିମାନ ଯୋଗେ ମଧ୍ୟ ଅକ୍ସିଜେନ୍ ଟ୍ୟାଙ୍କର ପଠାଉଛନ୍ତି ।

Comments are closed.