ବୌଦ୍ଧ : କରୋନା ଟେଷ୍ଟିଂ ରିପୋର୍ଟ ଆସିନାହିଁ ବୋଲି ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମର ଶରୀର ଦୀର୍ଘ ୧୨ ଘଣ୍ଟା କାଳ ଘର ବାରଣ୍ଡାରେ ପଡିରହିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲା ରେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁନୀଲ ଦାଶଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଥିଲା ।
ଗତ କିଛିଦିନ ତଳେ କୁମ୍ଭମେଳାରେ ଯୋଗଦେଇ ନିଜ ଘର ବ୍ରହ୍ମପୁର ଦେଇ କର୍ମଭୂମି ଧଳପୁର କୁ ଚଳିତ ମାସ ୨୦ ତାରିଖରେ ପହଁଚିଥିଲେ । କୁମ୍ଭମେଳାରେ କରୋନା ସ୍ଥିତି ଦେଖି ସେ ନିଜ ଆଡୁ ୨୨ ତାରିଖରେ କୋଭିଡ ଟେଷ୍ଟ କରାଇ ହୋମ ଆଇସୋଲେସନରେ ରହୁଥିଲେ । ଏପରିକି ସେ ରେଳରେ ଆସିବା ପୂର୍ବରୁ କୋଭିଡ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ନେଗେଟିଭ ଆସିଥିଲା । ଗତ ୨୨ ତାରିଖରେ କରାଇଥିବା ଟେଷ୍ଟର ରିପୋର୍ଟ ଏପର୍ୟ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇନଥିବା ସ୍ପଷ୍ଟ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧରକାରୀ । ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେ କୋଭିଡ ଟେଷ୍ଟ ପାଇଁ ସ୍ୱାବ ଦେଇଥିବାରୁ କରୋନାରେ ଆକ୍ରାନ୍ତଥିବା ଆଶଙ୍କା କରି ତାଙ୍କ ଶବ ନିକଟକୁ ବନ୍ଧୁ ଓ ସମ୍ପର୍କୀୟ କେହି ଯାଇନଥିଲେ ଓ ପ୍ରାୟ ୧୨ ଘଣ୍ଟା ଧରି ଶବ ଘରେ ପଡି ରହିଥିଲା । ଖବରପାଇ ହରଭଙ୍ଗା ବ୍ଲକ୍ ବିଡିଓ ନୀଳକଣ୍ଠ ବେହେରା, ତହସିଲଦାର ଓ ସ୍ୱାସ୍ଥ୍ୟ ବିବାଗ ଟିମ ଧଳପୁରରେ ପହଁଚି ସ୍ଥିତି ପରଖିଥିଲେ । ମୃତ ସୁନିଲ ଦାସଙ୍କ ଉପସ୍ଥିତ ସମ୍ପର୍କିୟଙ୍କ ସହ ଶବ ସତ୍କାର ନେଇ ଅନେକ ସମୟ ଆଲୋଚନା କରିଥିଲେ । ଏକ ଶବବାହକ ଗାଡି ବୌଦ୍ଧରୁ ମଗା ଯାଇଥିଲା । ବିଡିଓ ଅନେକ ବୁଝାସୁଝା କରିବା ପରେ ବନ୍ଧୁ ଓ ସମ୍ପର୍କୀୟ ପିପିଇ କୀଟ ପିନ୍ଧି ସ୍ଥାନୀୟ ଶ୍ମଶାନରେ ଶବସଂସ୍କାର କରିଥିଲେ । ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା ।
Comments are closed.