ଏବେ ଟ୍ରେଲର୍, ଆଗକୁ ପୂରା ଫିଲ୍ମ : ଦିନକୁ ଚିହ୍ନଟ ହେବେ ୬ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ !

118

-ଏଣିକି ଘରେ ରହିଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ଥମିବାର ନାଁ ଧରୁନି । ଏବେ ପ୍ରତିଦିନ ପାଖାପାଖି ସାଢ଼େ ୩ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏବେ କରୋନାର ଟ୍ରେଲର ଚାଲିଛି । ପୂରା ଫିଲ୍ମ ବାକି ରହିଛି ବୋଲି ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍ ସୂଚନା ଦେଇଛନ୍ତି ।

ଏପ୍ରିଲ ଶେଷ ସୁଦ୍ଧା ଦେଶରେ ପ୍ରତିଦିନ ୫ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବେ । ମେ’ ମଧ୍ୟଭାଗରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଏହି ସମୟରେ ପ୍ରତିଦିନ ୬ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ତେବେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବା କେନ୍ଦ୍ର ସରକାର ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ କହିଛନ୍ତି ।

ଏହି ଅଭ୍ୟାସ ଏବେଠାରୁ ଆରମ୍ଭ କଲେ ଭଲ । କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରି ବୋଲି କେନ୍ଦ୍ର ସରକାର ଆଜି କହିଛନ୍ତି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକମାନେ ନିଜ ନିଜର ଘରେ ରହିବା ବେଳେ ମଧ୍ୟ ମାସ୍କ ପରିଧାନ କରନ୍ତୁ । ଲୋକମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ । ଅଯଥା ଆତଙ୍କିତ ହେବା ଭଲ ବଦଳରେ ଖରାପ ସ୍ଥିତି ସୃଷ୍ଟି କରିବ ।

ଏବେ କରୋନାର ଯେଉଁ ସ୍ଥିତି ରହିଛି ଦୟାକରି ଅଯଥାରେ ଘରୁ ପାଦ କାଢ଼ନ୍ତୁ ନାହିଁ । ଏପରିକି ଘରେ ପରିବାର ଲୋକଙ୍କ ସହ ରହିବା ବେଳେ ମାସ୍କ ପିନ୍ଧନ୍ତୁ । ମାସ୍କ ପିନ୍ଧିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାହାର ଲୋକଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ । ଯଦି ପରିବାରରେ କେହି କୋଭିଡ ପଜିଟିଭ ରୋଗୀ ଅଛନ୍ତି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରି । କାରଣ ଘର ମଧ୍ୟରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ମୁଁ ସମସ୍ତଙ୍କୁ କହିବେ ଯେ, ଘର ମଧ୍ୟରେ ରହୁଥିବା ଲୋକମାନେ ଏବେଠାରୁ ମାସ୍କ ପିନ୍ଧିବା ଆରମ୍ଭ କରନ୍ତୁ । ଏହା ବର୍ତ୍ତମାନ ସମୟର ଆବଶ୍ୟକତା । ଆମେ ପୂର୍ବରୁ ଘର ବାହାରେ ମାସ୍କ ପିନ୍ଧିବା କଥା କହୁଥିଲୁ । କିନ୍ତୁ ଏବେ ସଂକ୍ରମଣ ବ୍ୟାପି·ଲିଛି । ତେଣୁ ଲୋକମାନେ ଘର ରହିଲେ ବି ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଆମେ ଟିକାକରଣର କାର୍ଯ୍ୟକ୍ରମକୁ କେବେ ହେଲେ ଧିମା କରିବା ନାହିଁ । ବରଂ ଏହାକୁ ଅଧିକ ତ୍ୱାରାନ୍ୱିତ କରିବା । ଏବେ ପ୍ରଶ୍ନ କରାଯାଉଛି ଯେ, ମହିଳାଙ୍କ ଋତୁସ୍ରାବ ବେଳେ ସେମାନେ ଟିକା ନେଇପାରିବେ କି ନାହିଁ? ଏହାର ଉତ୍ତର ହେଉଛି ହଁ । ଋତୁସ୍ରାବ ବେଳେ ମଧ୍ୟ ମହିଳାମାନେ ଟିକା ନେଇପାରିବେ । ଏହି କାରଣ ପାଇଁ ଟିକାକରଣ ବନ୍ଦ ହେବନାହିଁ । ଆମକୁ ଯେକୌଣସି ପରିସ୍ଥିତିରେ ବି ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରି କରୋନାକୁ ହରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କହିଛନ୍ତି, ଅକ୍ସିଜେନ ପାଇଁ ଆଦୌ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ । ଏହାର ପରିବହନ ପାଇଁ ହେଉଥିବା ସମସ୍ୟାର ସମାଧାନ ଆମେ କରୁଛୁ । ଭାରତ ସରକାର ବିଦେଶରୁ ଅକ୍ସିଜେନ ଟ୍ୟାଙ୍କର କିଣିବା ପାଇଁ ଅର୍ଡର ଦେଇଛନ୍ତି । ଅକ୍ସିଜେନ ଟ୍ୟାଙ୍କର ପରିବହନ ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ସରକାର ଜିପିଏସ୍ ଜରିଆରେ ଟ୍ୟାଙ୍କରଗୁଡ଼ିକର ଗତିବିଧି ଉପରେ ନଜର ରଖିଛନ୍ତି । ଅକ୍ସିଜେନ ଗାଡ଼ିଗୁଡ଼ିକୁ ଆମ୍ବୁଲାନ୍ସ ଭଳି ସେବା ମିଳିବା ଉଚିତ । ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ଗ୍ରୀନ୍ କରିଡର କରାଯାଉ ।

ହାହାକାର: ମୃତ୍ୟୁସଂଖ୍ୟା ଟପିଲା ୨୮୦୦

ଦେଶରେ କରୋନା ଭାଇରସ ଜନିତ ମହାମାରୀ ବ୍ୟାପିବା ଦିନଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୨ ହଜାର ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ କରୋନା ଭାଇରସଜନିତ ନୂତନ ସଂକ୍ରମଣ ଓ ୨,୮୧୨ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା
୧,୭୩,୧୩,୧୬୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୨,୮୧୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୯୫,୧୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୧୯,୨୭୨ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୪୩,୦୪,୩୮୨ । ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮,୧୩,୬୫୮ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ,ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୪,୧୯,୧୧,୨୨୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ର କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୫ ସୁଦ୍ଧା ସମୁଦାୟ ୨୭,୯୩,୨୧,୧୭୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୪,୦୨,୩୬୭ଟି ନମୁନା ।

Comments are closed.