ପାରଳାଖେମୁଣ୍ଡି, ୨୭ା୪ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ତାମତରା ଗ୍ରାମର ଜଣେ ଦାଦନ ଖଟିବାକୁ ଯାଇଥିବା ନାବାଳକର ଶନିବାର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଶିଶୁ ଶ୍ରମିକ ଉକ୍ତ ଗ୍ରାମର ଦାସ ଭୂୟାଁଙ୍କ ପୁଅ ରୂପନ ଭୂୟାଁ (୧୬) ବୋଲି ଜଣାପଡିଛି । ରବିବାର ରୂପନର ମୃତ ଦେହକୁ ଆନ୍ଧ୍ର ପ୍ରଦେଶର ରାଜ୍ୟ କାଡାପା ଜିଲ୍ଲାର ଭୋଣ୍ଟିମେଟା ଠାରେ ରବିବାର ତାର ଶବ ସକ୍ରାର କରାଯାଇଥିବା ଜଣାପଡିଛି । ତେବେ ଉକ୍ତ ନାବାଳକ ଅନେକ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁ ହୋଇଥିବାର ପରିବାର ଲୋକେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ନାବାଳକଙ୍କୁ ଚାଲାଣ କରାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦେବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ପୂର୍ବେ ପାରଳାଖେମୁଣ୍ଡିର ଶ୍ରୀନୁ ନାମକ ଜଣେ ଦଲାଲ ତାମତାରା ଗ୍ରାମକୁ ଆସି ଗ୍ରାମର ଯୁବକ ମାନଙ୍କୁ ଅନେକ ପ୍ରଲୋଭନର ଶିକାର ହୋଇ ଗ୍ରାମର ରୂପନ ଭୂୟାଁ (୧୬) ଦୂର୍ଯ୍ୟ ଧାଙ୍ଗଡା ଭୂୟାଁ, ସୁକୁ ଭୂୟାଁ, ସନ୍ତୋଷ ଭୂୟାଁ, ଭୀମ ନାୟକ, ନବୀନ ମଣ୍ଡଳଙ୍କ ସମେତ ୧୪ ଜଣ ନାବାଳକ ତାଙ୍କ ସହ ଆନ୍ଧ୍ର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ । ଦଲାଲ ଜଣକ ସେମାନଙ୍କୁ ଆନ୍ଧ୍ର କାଡାପା ଜିଲ୍ଲାକୁ ନେଇ ଜଣେ ମାଲିକଙ୍କ ପାଖରୁ ୪୦ ହଜାର ଟଙ୍କା ନେଇ ସେମାନଙ୍କୁ ଛାଡି ଚାଲି ଆସିଥିଲା । ସେଠାରେ ମାଲିକ ସେମାନଙ୍କୁ ଚିଙ୍ଗୁଡି ଘେରିରେ କାମରେ ଲଗାଇ ଅନେକ ନିର୍ଯ୍ୟାତନା ଦେଉଥିଲେ । ସେଠାରେ ସେମାନଙ୍କୁ ଠିକ୍ ଭାବରେ ଖାଦ୍ୟ ପେୟ ମଧ୍ୟ ଦିଆଯାଇନଥିବା ସହ ଅନେକ କାମରେ ଖଟାଉଥିଲେ । କାମ ଠିକ୍ ଭାବରେ ନ କଲେ ମାଲିକ ସେମାନଙ୍କୁ ମାଡ ମଧ୍ୟ ମାରୁଥିଲେ । ଏହି ପ୍ରକାର ନିର୍ଯ୍ୟାତନାର ଶିକାର ହୋଇ ୧୧ଜଣ ଲୁଚି ପଳାଇ ଆସି ଗ୍ରାମରେ କହିଥିଲେ । ତେବେ ସେଠାରୁ ରୂପନ, ଦୁର୍ଯ୍ୟ, ସୁକୁ ଖସି ଆସି ପାରିଲେ ନାହିଁ । ତେବେ ରୂପନ ସେଠାରେ ଅସୁସ୍ଥ ହୋଇ ଶନିବାର ମୃତ୍ୟୁ ହୋଇଥିବା ଜାଣି ଗ୍ରମରେ ଶୋକର ଛାୟା ଖେଳିଯାଇଛି । ସେଠାରେ ଫସି ରହିଥିବା ସୁକୁ ଫୋନ୍ ଯୋଗେ କହିବା ଅନୁସାରେ ଖାଦ୍ୟ ଅଭାବରେ ରୂପନର ଗଡ ହାତ ଫୁଲି ଶୁକ୍ରବାର ଅଧିକ ଅସୁସ୍ଥ ଅନୁଭବ ହେବାରୁ ଡାକ୍ତରଖାନାକୁ ନିଆଯାଇଥିଲା । ଶନିବାର ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଥିବା ବେଳେ ରବିବାର ଶବ ସକ୍ରାର ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଗରିବ ବାପା ଏବଂ ମାଆଙ୍କ କ୍ଷତିପୂରଣ ଦେବା ପାଇଁ ବିଶିଷ୍ଟ ବ୍ୟବସାୟି ତଥା ବରିଷ୍ଠ ବିଜେଡି ନେତା ଟି. ବିଶ୍ୱନାଥଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।