୩ ଗିରଫ, ୫୦ ହଜାର ଟଙ୍କାରେ ବିକୁଥିଲେ ସିଲିଣ୍ଡର
ନୂଆଦିଲ୍ଲୀ, ୨୭ ।୪ : ଦକ୍ଷିଣ ଦିଲ୍ଲୀ ପୋଲିସ ଅକ୍ସିଜେନ ସିଲିଣ୍ଡର ଓ ନାଇଟ୍ରୋଜେନ ସିଲିଣ୍ଡର କଳାବଜାରୀ କରୁଥିବା ୩ଜଣଙ୍କୁ ଗିରଫ କରିଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି । ଅକ୍ସିଜେନ ସଙ୍କଟ ମଧ୍ୟରେ କିଛି ଲୋକ ଏହାର ଫାଇଦା ଉଠାଇବାକୁ ଯାଇ ବିପଦକୁ ମଉକା ଭାବି କଳାବଜାରୀ ଆରମ୍ଭ କରିଛନ୍ତି । ଦକ୍ଷିଣ ଦିଲ୍ଲୀ ଡିସିପି ଅତୁଳ ଠାକୁର କହିଛନ୍ତି ଯେ ତାଙ୍କ ଟିମକୁ ସୂଚନା ମିଳିଥିଲା ଯେ କିଛି ଲୋକେ ମହଙ୍ଗା ଦାମରେ ବ୍ଲାକରେ ଅକ୍ସିଜେନ ବିକ୍ରି କରୁଛନ୍ତି । ଦିଲ୍ଲୀ ପୋଲିସ ଟିମ୍ ଏମାନଙ୍କ ଉପରେ ନଜର ରଖିଥିଲା । କଳାବଜାରୀ ଘିଟୋରନି ମେଟ୍ରୋ ଷ୍ଟେସନ ନିକଟରେ ବ୍ଲାକରେ ସିଲିଣ୍ଡର ବିକ୍ରି କରୁଥିଲା । ସୂଚନା ପାଇବା ପରେ ପୋଲିସ ଟିମ ସେଠାରେ ପହଞ୍ଚି ଗିରଫ କରିଥିଲା । ଗିରଫ ଯୁବକର ନାଁ ମୋହିତ । ପୋଲିସକୁ ମୋହିତ ପାଖରୁ ଗୋଟିଏ ବଡ ସିଲିଣ୍ଡର ଓ ଗୋଟିଏ ଛୋଟ ସିଲିଣ୍ଡର ମିଳିଛି । ପଚାରିବା ପରେ ସେ କହିଥିଲା ଯେ ବଡ ସିଲିଣ୍ଡର ୫୦ ହଜାର ଓ ଛୋଟ ସିଲିଣ୍ଡର ୩୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ପଚରାଉଚୁରାରେ ମୋହିତ କହିଛି ଯେ ସୁମିତ ଇ ଅହମଦ ନାମକ ଯୁବକ ତାକୁ ଏହି ସିଲିଣ୍ଡର ଦେଉଥିଲେ । ତାଙ୍କ ଠାରୁ ସିଲିଣ୍ଡର ଆଣି ସେ ମହଙ୍ଗା ଦାମରେ ବିକ୍ରି କରୁଥିଲା । ମୋହିତର ବୟାନ ନେବାପରେ ପୋଲିସ ଦିଲ୍ଲୀ ଆୟା ନଗର ଅଞ୍ଚଳରେ ଚଢ଼ଉ କରି ସୁମିତ ଓ ଅହମଦକୁ ଗିରଫ କରିଥିଲା । ପୋଲିସ ତାଙ୍କ ପାଖରୁ ୪ଟି ଅକ୍ସିଜେନ ସିଲିଣ୍ଡର ଓ ୫ଟି ନାଇଟ୍ରୋଜେନ ସିଲିଣ୍ଡର ସହ ଅନେକ ଫ୍ଲୋମିଟର ମଧ୍ୟ ଜବତ କରିଛି । ୩ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ । ଏହା ପୂର୍ବରୁ ଏମାନେ କେତେ ଅକ୍ସିଜେନ ସିଲିଣ୍ଡର କଳାବଜାରୀ କରିଛନ୍ତି ପୋଲିସ ପତା କରୁଛି ।