ନୂଆଦିଲ୍ଲୀ, ୨୭ ।୪ : ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେ । ହେଲେ ଟିକା ଉତ୍ପାଦନରେ ବିଳମ୍ୱ ହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି । ଏହାରି ଭିତରେ ରୁଷିଆର କରୋନା ସଞ୍ଜିବନୀ ଟିକା “ସ୍ପଟନିକ ଭି’ ମେ ୧ରେ ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି । ଡାଇରେକ୍ଟ ଇନଭେଷ୍ଟେମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି । ଏହାର ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ । ଯାହାକି କୋଭିଶିଲ୍ଡ ପାଖରୁ ଅଧିକ ଦାମ୍ । କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି । ଯାହାକି କୋଭିଶିଲ୍ଡ ପାଖରୁ ଅଧିକ । ସ୍ପୁଟନିକ ଟିକାକୁ ଲୋକ ଦେଶରେ ଆବଶ୍ୟକତା ଥିବ ଟିକାର ଚାହିଦାକୁ ପୂରଣ କରିବ ବୋଲି ଆଶା ରହିଛି । ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇବା ପାଇଁ ପାଞ୍ଚଟି ପ୍ରମୁଖ ଭାରତୀୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତିନାମା କରିଥିବା ସୂଚନା ରହିଛି । ସର୍ବଭାରତୀୟ ସ୍ତରରେ ଏହି ଟିକାକୁ ମନଟରିଂ କରୁଥିବା ଆରଡିଏଫ୍ କହିଛି ଯେ ଗ୍ରୀଷ୍ମଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଞ୍ଚିବ । ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଟିକାକରଣକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ତେଣୁ କୋଭିଶିଲ୍ଡ, କୋଭାକ୍ସିନ ପରେ ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି । ସେହିପରି ଗତ ସପ୍ତାହରେ ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟାର ରିପୋର୍ଟ ଆସିଛି । ମଙ୍ଗଳବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୩,୨୩,୧୪୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାକି ଗତ ୫ ଦିନ ତୁଳନାରେ କମ୍ । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୩,୫୨,୯୯୧ ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ଏହି ସଂଖ୍ୟା ୩ଲକ୍ଷ ୪୯ ହଜାର ୬୯୧, ଶନିବାର ୩,୪୬,୭୮୬, ଶୁକ୍ରବାର ୩ ଲକ୍ଷ ୩୨ ହଜାର ୭୩୦, ଗୁରୁବାର ୩ ଲକ୍ଷ ୩୨ ହଜାର ୭୩୦, ବୁଧବାର ୩,୧୪,୮୩୫ ଜଣ ଚିହ୍ନଟ ହୋଇଥିଲେ । ଆଜି ମଙ୍ଗଳବାର କିନ୍ତୁ ଏହି ସଂଖ୍ୟା କମି ୩ ଲକ୍ଷ ୨୩ ହଜାର ୧୪୪ ହୋଇଛି ।