ନୂଆଦିଲ୍ଲୀ : ମୃତ୍ୟୁର ତାଣ୍ଡବ ରଚୁଛି କରୋନା ମହାମାରୀ । ପୁଳା ପୁଳା ଜୀବନ ନେଉଛି ଏହି ଘାତକ ଭାଇରସ୍ । ଲିଭୁନି ଚିତା, ନିଅଣ୍ଟ ହେଉଛି ଶ୍ମଶାନ । କ୍ରମାଗତ ଷଷ୍ଠ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଉପରେ ରହିଥିବା ବେଳେ ୨ହଜାର ଉପରେ ରହିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୩ହଜାର ୧୪୪ ପଜିଟିଭ୍ ଓ ପ୍ରାଣ ହରାଇଛନ୍ତି ୨୭୭୧ଜଣ । କେବଳ ଏପ୍ରିଲ ମାସରେ କରୋନା ମୃତ୍ୟୁସଂଖ୍ୟା ୭୪,୭୫୫ । ଗତ ସପ୍ତାହ ଭିତରେ ମହାମାରୀ ନେଲାଣି କେବଳ ୧୭,୩୩୩ ଜୀବନ ।
ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଏଯାଏ ମୃତ୍ୟୁସଂଖ୍ୟା ୫ଗୁଣା ଅଧିକ ରହିଛି । ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ,କେରଳ ଓ ଦିଲ୍ଲୀ ସମେତ ୧୦ ରାଜ୍ୟରେ ୭୨% ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ୧୦ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ରହିଛି ୭୭ ପ୍ରତିଶତ । ୮ଟି ରାଜ୍ୟରେ ରହିଛି ଲକ୍ଷେ ଉପରେ ଆକ୍ଟିଭ୍ କେସ୍ । ଦିଲ୍ଲୀରେ ଦୈନିକ ମୃତ୍ୟୁସଂଖ୍ୟା ସବୁଠାରୁ ଅଧିକ ରହିଛି । ଏଥିସହ ଏହି ସହରର ଆସିଛି ହୃଦୟ ବିଦାରକ ଦୃଶ୍ୟ । ଏକାଠି ଜଳୁଛି ୨୦ରୁ ଅଧିକ ଚିତା । ଶ୍ମଶାନ ବାହାରେ ଶବଙ୍କ ଭିଡ । ଆମ୍ବୁଲାନ୍ସରେ ଗୋଟିଏ ପରେ ଗୋଟିଏ ମୃତଦେହ ଆସି ପହଞ୍ଚୁଛନ୍ତି । ଶ୍ମଶାନ ଭିତରକୁ ଯେତିକି ମୃତଦେହ ଯାଉଛି ବାହାରେ ବି ସେତିକି ପହଞ୍ଚୁଛି । ଅନ୍ତିମ ସତ୍କାର ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଦାହ ପାଇଁ ଶ୍ମଶାନରେ ଜାଗା ନିଅଣ୍ଟ ପଡ଼ୁଥିବାରୁ ପଡ଼ିଆ ଓ ପାର୍କରେ ଅସ୍ଥାୟୀ ଶ୍ମଶାନ ତିଆରି କରାଯାଇଛି ।
ଉତ୍ତରପ୍ରଦେଶ କାନପୁର ଶ୍ମଶାନରେ ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ ଶ୍ମଶାନ ବାହାରେ ସମ୍ପର୍କୀୟଙ୍କ ମୃତଦେହକୁ ଫିଙ୍ଗିଦେଇ ଚାଲିଯାଉଛନ୍ତି । ଦାହ ପାଇଁ ଯେମିତି ସେମାନଙ୍କ ଆଉ ଧୈର୍ଯ୍ୟ ନାହିଁ । ଗତ ୨୪ଘଣ୍ଟାରେ କେବଳ ଦିଲ୍ଲୀରେ ୩୮୦ ଜୀବନ ଏହି ମହାମାରୀ ନେଇଛି । ଖାଲି ଦିଲ୍ଲୀ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ସଂଗୀନ୍ । ବିଡ୍ ଜିଲ୍ଲାର ଅମ୍ବାଯୋଗାଇ ଅଞ୍ଚଳର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ୱାମୀ ରାମାନନ୍ଦତୀର୍ଥ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ୨୨ଜଣ ମୃତକଙ୍କ ମୃତଦେହକୁ ଗୋଟିଏ ଆମ୍ବୁଲାନ୍ସରେ ନିଆଯାଉଥିବାର ଦୃଶ୍ୟ ଭାଇରାଲ୍ ହେବା ପରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଛାତି ଥରାଇ ଦେଉଛି ଭାରତର କରୋନା ସ୍ଥିତି :
ଭାରତରେ କରୋନା ମହାମାରୀ ଯେଉଁଭଳି ଭାବରେ ତାଣ୍ଡବ ରଚୁଛି ତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । ଭାରତରେ କରୋନାର ସ୍ଥିତି ଛାତି ଥରାଇ ଦେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମୁଖ୍ୟ ଟେଡ୍ରୋସ ଅଧନମ୍ ଘେବ୍ରିୟସ୍ କହିଛନ୍ତି । ଭାରତ ଏବେ ସଂକଟ ସ୍ଥିତିରେ ଗତି କରୁଛି । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେଉଛି ।
ଆଗାମୀ ଦିନରେ ଅବସ୍ଥା ଅଧିକ ଗୁରୁତର ହେବାର ଆଶଙ୍କା ଥିବା ସେ କହିଛନ୍ତି । ସହାୟତା ପାଇଁ ୨ହଜାରରୁ ଅଧିକ କର୍ମଚାରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିଯୁକ୍ତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଭାରତରେ ସଂକ୍ରମଣ ବୃଦ୍ଧିର କାରଣ ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି ଯେ, ଲୋକେ ଅନାବଶ୍ୟକ ଭାବେ ହସ୍ପିଟାଲରେ ଭିଡ ଜମାଉଛନ୍ତି । ସମାବେଶ ଯୋଗୁ ମଧ୍ୟ ସଂକ୍ରମଣ ବଢିଛି । ଅଧିକ ସଂକ୍ରାମକ ଭାରିଏଣ୍ଟ ସଂକ୍ରମଣକୁ ବଢ଼ାଇଛି ବୋଲି ଶ୍ରୀ ଘେବ୍ରିୟସ୍ କହିଛନ୍ତି ।
Comments are closed.