ମହାନିଦ୍ରାରେ ସାହିତ୍ୟିକ, ମନୋଜ ଦାସ

0 88

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମନୋଜ ଦାସଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଚିକତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷନଃଶ୍ୱାସ ତ୍ୟାଗ କରିଛନ୍ତି ।

ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ମନୋଜ ଦାସଙ୍କ ଅବଦାନ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପାଇଁ ଥିଲା ଅତୁଳନୀୟ । ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ସେ । ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି ଅରଣ୍ୟ ଉଲ୍ଲାସ ତାଙ୍କର ଥିଲା କାଳଜୟୀ ସୃଷ୍ଟି । ତାଙ୍କୁ ୨୦୦ଣ୍ଟରେ ପଦ୍ମଶ୍ରୀ ଓ ୨୦୨୦ରେ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ସେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଜନ୍ମଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା ।

ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଥିଲେ । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ “ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଲା । ସେହି ସମୟରେ “ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.