ନୂଆଦିଲ୍ଲୀ, ୨୮ ।୪: ଗୋଟିଏ ପଟେ ଦିଲ୍ଲୀବାସୀ ମହାମାରୀ କରୋନ ସହ ଲଢ଼େଇ କରୁଥିବା ବେଳେ ଏଠାରେ କେନ୍ଦ୍ର ସରକାର ଆଣିଥିବା ସ୍ୱତନ୍ତ୍ର ଦିଲ୍ଲୀ ଆଇନ ଲାଗୁ ହୋଇଛି । ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ଆଇନ ୨୦୨୧ ଲାଗୁ ହୋଇଥିବାରୁ ଏଣିକି ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ । ନିର୍ବାଚିତ ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କ କ୍ଷମତା ଅଧିକ ରହିବ । ଏପ୍ରିଲ ୨୭ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦିଲ୍ଲୀ ସରକାରର ଅର୍ଥ ଉପରାଜ୍ୟପାଳ । ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପ ରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ । ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପ ରାଜ୍ୟପାଳଙ୍କୁ ବୁଝାଇବ । ୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯାଇଛି । ବିଧାନସଭାରେ ବିଲ୍ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ ନା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ତା’ର ନିଷ୍ପତ୍ତି ନେବେ । ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯାଇଛି । ନିର୍ବାଚିତ ସରକାରଙ୍କ ଠାରୁ କେନ୍ଦ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କୁ ଏହି ବିଲ୍ ଅଧିକ କ୍ଷମତା ଦେଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଥିଲେ । ପ୍ରବଳ ହୋହାଲ୍ଲା ମଧ୍ୟରେ ଲୋକସଭା ଓ ରାଜ୍ୟରେ ଏହା ପାରିତ ହୋଇଥିଲା । ବିଲ୍ ରାଜ୍ୟସଭାରେ ପାସ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ, ରାଜ୍ୟସଭା ଜିଏନସିଟିଡି ବିଲ୍କୁ ଅନୁମୋଦନ କରିଛି । ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖର ଦିନ । ଆମେ ଲୋକଙ୍କୁ କ୍ଷମତା ଦେବା ପାଇଁ ଆମ ସଂଘର୍ଷ ଜାରି ରଖିବୁ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆମେ ଲୋକଙ୍କ ପାଇଁ ଭଲ କାମ କରିଚାଲିବୁ । କୌଣସି କାମ ବନ୍ଦ ହେବନି କିମ୍ୱା ଧିମା ପଡ଼ିବନି । ମାର୍ଚ୍ଚ ୨୨ରେ ଏହା ଲୋକସଭା ଓ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏହି ବଲ୍ ପାରିତ ହୋଇଥିଲା । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଜାରି ବିଜ୍ଞପ୍ତିରେ ସରାଷ୍ଟ୍ର ମନ୍ତ୍ରଣାଳୟର ଅତରିକ୍ତ ସଚିବ ଗୋବିନ୍ଦ ମୋହନ ଦସ୍ତଖତ କରିଛନ୍ତି ।