ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଆଖି ବୁଜିଛନ୍ତି । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୮୧ ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଦିନ ପ୍ରାୟ ୧୦.୩୦ରେ ତାଙ୍କର ମୃତ୍ୟୁ ଘଟିଛି । ଗାଏକ୍ୱାଡ୍ ହେଉଛନ୍ତି କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ । ସେ କଂଗ୍ରେସ ଟିକେଟରୁ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ମୁମ୍ବାଇର ଧରାବି ନିର୍ବାଚନ ମଣ୍ଡଳୀରୁ ୩ଥର ମହାରାଷ୍ଟ୍ର ବିଧାନସଭାକୁ ମଧ୍ୟ ଯାଇଥିଲେ । ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ଶ୍ରୀ ଗାଏକ୍ୱାଡଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛି । ଗାଏକ୍ୱାଡ ଆମ୍ବେଦକାରିଟେ ବୁଦ୍ଧିଷ୍ଟ ପରିବାରରୁ ଆସିଛନ୍ତି । ୨୦୦୪ ଲୋକସଭା ନିର୍ବାଚନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତକ୍ରାଳୀନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କୁ ମୁମ୍ୱାଇର ଦକ୍ଷିଣ କେନ୍ଦ୍ରୀୟ ଆସନରେ ପରାସ୍ତ କରିଥିଲେ । ସେ ଦୁଇ ଥର ବିଜୟ ଲାଭ କରିବା ପରେ ୨୦୧୪ରେ ରାହୁଲ ଶେହୱାଲେଙ୍କ ଠାରୁ ୨୦୧୪ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । ୧୯୮୫ରେ ସେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।