ନୂଆଦିଲ୍ଲୀ, ୨୮ ।୪: ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ସମଗ୍ର ଆସାମ । ଏହାର ପ୍ରଭାବ ଉତ୍ତର ବେଙ୍ଗଲ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ଥିବାରୁ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ଏଯାଏ ମୃତାହତଙ୍କ ସୂଚନା ମିଳି ନଥିଲ ହେଁ ବିଭିତ୍ତ ସ୍ଥାନରେ ଲୋକମାନେ ଝଟକା ପରେ ଘରୁ ପଦାକୁ ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ନ୍ୟାଶନାଲ ସେଣ୍ଟର ଅଫ ସେଇସମୋଲଜି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସାମର ତେଜପୁର ଠାରେ ୬.୪ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପର ପ୍ରଥମ ଝଟକା ସମଗ୍ର ଆସାମବାସୀ ସକାଳ ୭.୫୧ରେ ଅନୁଭବ କରିଥିଲେ । ଭୂକମ୍ପର କେନ୍ଦ୍ର ସ୍ଥଳ ତେଜପୁର ଠାରୁ ୪୩ କିମି ଦୂର । ୬.୪ ତୀବ୍ରତାର ଭୂକମ୍ପ ଝଟକା ପରେ ଦୁଇଟି ଛୋଟ ଛୋଟ ଝଟକା ଲୋକମାନେ ଅନୁଭବ କରିଥିଲେ । ପ୍ରଥମ ଝଟକା ୭.୫୫ ମିନିଟ ଓ ଦ୍ୱିତୀୟ ଝଟକା ଏହାର ଆଉ କିଛି ସମୟ ପରେ ସୃଷ୍ଟି ହୋଇଥିଲା । ବଡ଼ଧରଣର ଭୂକମ୍ପ ଯୋଗୁ ଆସାମର ଏକାଧିକ ବିଲଡିଂରେ ଫଟା ଚିହ୍ନ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘର ଭାଙ୍ଗି ଯାଇଥିବା ଭିଜୁଆଲ ଆସିଛି । ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱଶମ୍ବା ମଧ୍ୟ ଟ୍ୱିଟ କରି ଭୂକମ୍ପ ଝଟକା ବିଷୟରେ ଅବଗତ କରାଇଛନ୍ତି । ଉତ୍ତର ବେଙ୍ଗଲର ଦାର୍ଜିଲିଂ ମଧ୍ୟ ଭୂକମ୍ପରେ ଥରିଛି । ଏଠାରେ ଲୋକମାନେ ଝଟକା ପରେ ଘରୁ ବାହାରି ଯାଇ ଖୋଲା ସ୍ଥାନରେ ଛଡ଼ା ହୋଇଥିବା ଫଟୋ ସାମ୍ନାକୁ ଆସିଛି । ଅରୁଣାଚଳ ପ୍ରଦେଶର ଇଟାନଗରରେ ଭୂକମ୍ପ ଯୋଗୁଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଇପିଏସ୍ ଅଫିସର ମଧୁର ବର୍ମା ଟ୍ୱିଟ କରି କହିଛନ୍ତି, ଅରୁଣାଚଳ ପ୍ରଦେଶର ଇଟାନଗରରେ ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପୂରା ଘର ୩୦ ସେକେଣ୍ଡ ଧରି ଥରିବାକୁ ଲାଗିଥିଲା । ଅବଶ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ।