କରୋନାକୁ ରୋକିବାର ଏକମାତ୍ର ବିକଳ୍ପ ଦେଶବ୍ୟାପୀ ଲକଡାଉନ

0 71

ନୂଆଦିଲ୍ଲୀ, ୪ ।୫: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲକଡାଉନ ଏବଂ ସଟ୍ଡାଉନ କଟକଣା ଲାଗୁ ହେଉଥିଲେ ହେଁ ସଂକ୍ରମଣ କମୁନାହିଁ । ଗତବର୍ଷ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଲାଗୁ କରି କିଛିମାତ୍ରରେ ସଂକ୍ରମଣ ରୋକିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏବେ ଲକଡାଉନ ଲାଗୁ କରୁନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଅନେକ ମତ ଦେଉଛନ୍ତି । ଏହାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି । ସେ ଆଜି ଟ୍ୱିଟ କରି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଲକଡାଉନ ହିଁ ଏକମାତ୍ର ସମାଧାନର ବାଟ । ହେଲେ ଭାରତ ସରକାର ଏହାକୁ ବୁଝିପାରୁନାହାନ୍ତି । ସଂପୂର୍ଣ୍ଣ ଲକଡାଉନ କରାଗଲେ ସଂକ୍ରମଣ ରୋକାଯାଇପାରିବ । ଲକଡାଉନରେ ପ୍ରଭାବିତ ହେଉଥିବା ଲୋକଙ୍କ ସୁରକ୍ଷା ପାଇଁ ନ୍ୟାୟ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବା ଉଚିତ । ଭାରତ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ରାହୁଲ ଏଠାରେ ନ୍ୟାୟ ଯୋଜନା କଥା କହିଛନ୍ତି । କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନାରେ ଲୋକଙ୍କୁ ସହଯୋଗ କରିବ ବୋଲି କହିଥିଲା । କଂଗ୍ରେସ କହିଥିଲା ଯେ ଦଳ କ୍ଷମତାକୁ ଆସିଲେ ଗରିବଙ୍କ ପାଇଁ “ନ୍ୟାୟ’ ଯୋଜନା ପ୍ରଣୟନ କରିବ । ଏହାଦ୍ୱାରା ଦେଶର ୨୦% ସବୁଠାରୁ ଗରିବ ପରିବାର ବର୍ଷକୁ ୭୨ ହଜାର ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏବେ ଏହାକୁ ମୋଦି ସରକାର ଲକଡାଉନ ଲାଗୁ କରି କାର୍ଯ୍ୟକାରୀ କରିବାକୁ ରାହୁଲ କହିଛନ୍ତି ।

Leave A Reply

Your email address will not be published.