ଏପି ଷ୍ଟ୍ରେନ୍: ୧୫ ଗୁଣା ମାରାତ୍ମକ

49

-ଏପି ଭାରିଏଣ୍ଟ ଅଧିକ ବିଜ୍ଜନକ
-ଜଣେ ବ୍ୟକ୍ତି ୪/୫ଜଣଙ୍କୁ କରୁଛି ସଂକ୍ରମିତ
-ବି୧-୬୧୭ ଓ ବି୧-୬୧୮ଠାରୁ ଶକ୍ତିଶାଳୀ
-୩ ଦିନରେ ଗୁରୁତର ହେଉଛି ରୋଗୀ
-ଅଧିକ ଯୁବଗୋଷ୍ଠୀ ହେଉଛନ୍ତି ଆକ୍ରାନ୍ତ

ବିଶାଖାପାଟଣା : ରୂପ ବଦଳାଉଛି କରୋନାର ଭୂତାଣୁ । ଦିନକୁ ଦିନ ଚିହ୍ନଟ ହେଉଛି ନୂଆ ଷ୍ଟ୍ରେନ୍ । ଦେଶରେ ସଂକ୍ରମଣ ଶୀର୍ଷରେ ପହଞ୍ôଚଥିବା ବେଳେ ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ ଏବେ ଚିନ୍ତା ବଢ଼ାଇଛି । ଆନ୍ଧ୍ର ପ୍ରଦେଶର କୁର୍ଣ୍ଣାଲାରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ସାରାଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷଜ୍ଞମାନେ ଏହାକୁ ଏପି ଷ୍ଟ୍ରେନ୍ ବା ଏନ୍୪୪୦କେ ଭାରିଏଣ୍ଟ ଭାବେ ଚିହ୍ନଟ କରିଛନ୍ତି ।

ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲେକ୍ୟୁଲାର୍ ଵୟୋଲୋଜି ( ସି ସି ଏ ମ୍ ବି )ଗବେଷଣାଗାରରେ ଏହାକୁ ପରୀକ୍ଷା କରାଯାଇଛି । କରୋନାର ପୂର୍ବ ଭାରିଏଣ୍ଟଠାରୁ ଏହା ୧୫ଗୁଣା ଅଧିକ ଘାତକ ବୋଲି ଜଣାପଡ଼ିଛି । ଦକ୍ଷିଣ ଭାରତର ଆନ୍ଧ୍ର୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଏପି ଷ୍ଟ୍ରେନ୍ ମାଡିବାରେ ଲାଗିଛି । ଏହି ଷ୍ଟ୍ରେନ୍ ପ୍ରଭାବରେ ୩ରୁ ୪ଦିନ ମଧ୍ୟରେ ସଂକ୍ରମିତ ଗୁରୁତର ଅବସ୍ଥାକୁ ଚାଲିଯାଉଛି । ହଠାତ୍ ଶରୀରରେ ଅକ୍ସିଜେନ୍ ଲେବଲ କମିବା ଦେଖାଯାଉଛି । ତତ୍କ୍ଷଣାତ୍ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ନକଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବା ଅଶଙ୍କା ବେଶୀ ରହିଛି । ଏନ୍୪୪୦କେ ଭାରିଏଣ୍ଟ ପୂର୍ବରୁ ସକ୍ରିୟ ଥିବା ବିୱାନ୍-୬୧୭ ଏବଂ ବିୱାନ୍-୬୧୮ ଭାରିଏଣ୍ଟ ଠାରୁ ଅଧିକ ବିଜ୍ଜନକ । ଉଭୟ ଭାରିଏଣ୍ଟ ସମ୍ପର୍କରେ ସିସିଏମ୍ବିରେ ଗବେଷଣା ଚାଲୁରହିଛି । ଶରୀରରେ ଏନ୍କ୍ୟୁବେସନ୍ ପିରିୟଡ୍ ବା ସଂକ୍ରମଣ ବଢ଼ାଇବାର ସମୟସୀମା ବହୁତ କମ୍ ରହୁଛି ।

ପୂର୍ବ ଭାରିଏଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ । ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ୪ରୁ ୫ଜଣଙ୍କୁ ଏହି ଷ୍ଟ୍ରେନ୍ ସଂକ୍ରମିତ କରିବାରେ ସହାୟକ ହେଉଛି । ଦେଶରେ ବର୍ତ୍ତମାନ କରୋନାର ପ୍ରଥମ ଲହର ଭଳି ସ୍ଥିତି ନାହିଁ । ଦିନକୁ ଦିନ ନୂଆ ନୂଆ ଷ୍ଟ୍ରେନ୍ ଦ୍ୱିତୀୟ ଲହରକୁ ଭୟାବହ କରିବାରେ ଲାଗିଛି । ନୂଆ ଷ୍ଟ୍ରେନ୍ର ବିଘଟନ ଦ୍ୱାରା ଏହାର ଭୟାବହତା ସମ୍ପର୍କରେ ମଧ୍ୟ ଆକଳନ କଷ୍ଟକର ହୋଇପଡ଼ୁଛି । ସବୁଠାରୁ ବଡ଼ କଥା ହେଉଛି ଏହା ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୭ ହଜାର ୨୨୯ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୪୯ଜଣଙ୍କ ଜୀବନ ନେଇଛି ମହାମାରୀ । ଏଥିସହିତ ଦେଶରେ ୨କୋଟି ଟପିଲା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨କୋଟି ୨ଲକ୍ଷ ୭୫ହଜାର ୫୪୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଖି ବୁଜିଛନ୍ତି ୨ଲକ୍ଷ ୨୨ହଜାର ୬୬୬ଜଣ । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ଟିଭ୍ ସଂଖ୍ୟା ୩୪ଲକ୍ଷ ୪୪ହଜାର ୫୪୮ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧.୬୨ କୋଟି ।

ଓଡ଼ିଶାକୁ ଆନ୍ଧ୍ର-ତେଲେଙ୍ଗାନା ଭୟ :

ଏପି ଷ୍ଟ୍ରେନ୍ ବା ଏମ୍୪୪୦କେ ଭାରିଏଣ୍ଟ ଅଧିକ ମାରାତ୍ମକ ହୋଇଥିବାରୁ ଓଡ଼ିଶାକୁ ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଭୟ ଘାରିବାରେ ଲାଗିଛି । ପଶ୍ଚିମବଙ୍ଗ ପରେ ଓଡ଼ିଶାକୁ ଏବେ ଦକ୍ଷିଣ ଭୟ ବଢ଼ାଇଛି । ସୀମାନ୍ତବର୍ତ୍ତୀ ୬ଜିଲ୍ଲା ରାଜ୍ୟପାଳଙ୍କୁ ନଜର ରଖିବା ପାଇଁ କୁହାଯାଇଛି । ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଭୟ ରାଜ୍ୟରୁ ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ଆରଟି ିସିଆର୍ ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ୭ଦିନ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ମଧ୍ୟ କୁହାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରି । ଏହି ୬ ଜିଲ୍ଲାରେ ନଜର ରଖିବାକୁ ସରପଞ୍ଚ ଏବଂ ପିଆରଆଇ ସଦସ୍ୟଙ୍କୁ ନିୟୋଜିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତରେ ସମସ୍ତ ଚେକ୍ପୋଷ୍ଟ ଲଗାଇବାକୁ ମଧ୍ୟ ଏସ୍ଆରସି ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ କୁହାଯାଇଛି । ଆନ୍ଧ୍ର ଷ୍ଟ୍ରେନ୍ର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Comments are closed.