-ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ
-ହାଇଆଲର୍ଟରେ ଉପକୂଳବର୍ତ୍ତୀ ଜିଲ୍ଲା
-ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସ୍ଆରସି
-୨୫ରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ
-ଗୁଜରାଟରୁ ଫେରିଲେ ଏନ୍ଡିଆରଏଫ୍ ଟିମ୍
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ୨୩ ତାରିଖ ରାତିରେ ଏହା ଅବପାତର ରୂପ ନେବ । ଏବଂ ୨୪ ତାରିଖରେ ବାତ୍ୟାର ରୂପ ନେଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ । ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତେବେ ନିର୍ଦ୍ଦିଷ୍ଟ ଭାବେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେଥିନେଇ ଆଇଏମ୍ଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ଆକ୍ୟୁ ୱେଦର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଭୀଷଣ କିମ୍ବା ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ଉତ୍ତର ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ହିଟ୍ କରିପାରେ । ସେହିଭଳି ସ୍କାଏମେଟ୍ ପୂର୍ବାନୁମାନ କରିଛି ଯେ, ୨୬ତାରିଖରେ ବାତ୍ୟା ୟସ୍ ପଶ୍ଚିମବଙ୍ଗରେ ପହଞ୍ଚିବ । କିନ୍ତୁ ଲଘୁଚାପ
ଅବପାତ ରୂପ ନ ନେବା ଯାଏ କିଛି କହିହେବ ନାହିଁ । ୱିଣ୍ଡ ଡଟ୍ କମ୍ ର ଦୁଇଟି ସଂସ୍ଥା କିନ୍ତୁ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ୱିଣ୍ଡର ୟୁରୋପୀଆନ ମଡେଲ୍ କହିଛି ବାତ୍ୟା ୟସ୍ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଳ କରି ପାରେ ।
ସେହିପରି ଏହି ସଂସ୍ଥାର ଆମେରିକାନ୍ ମଡେଲ୍ କହିଛି ୨୫ତାରିଖ ରାତିରେ ଦିଘା ନିକଟ ବାଲେଶ୍ୱର ଦକ୍ଷିଣରେ ଏହା ସ୍ଥଳଭାଗ ଛୁଇାଁପାରେ । ସେ ଯାହା ହେଉନା କାହିଁକି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟରେ ଅଛନ୍ତି ଓଡ଼ିଶା ସରକାର । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ବାତ୍ୟାର ମୁକାବିଲା ନେଇ ସମୀକ୍ଷା କରିଥିଲେ । ତେବେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ୧୦ ଜିଲ୍ଲାପାଳ ଏବଂ ଏସ୍ଆରସିଙ୍କୁ ନେଇ ଶ୍ରୀ ମହାପାତ୍ର ଏହି ସମୀକ୍ଷା ବୈଠକ କରିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି ଯେ, ଆଉ ଏକ ବାତ୍ୟା ଆସିବା ଖବର ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ତେବେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ୍ ପାଇଁ ସ୍ଥାନ ନିରୂପଣ ହୋଇନଥିଲେ ମଧ୍ୟ ଓଡ଼ିଶା ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।
ସମ୍ଭାବ୍ୟା ବାତ୍ୟା ନେଇ ଏସ୍ଆରସି ଆଜି ଆଇଏମ୍ଡି, ଏନ୍ଡିଏମ୍ଏ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକ ପରେ ଏସ୍ଆରସି କହିଛନ୍ତି ଆଇଏମ୍ଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ରେ ତାହା ଡିପ୍ରେସନ୍ ଓ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ତାହାର ଗତି, ବେଗ,ତୀବ୍ରତା କେତେ ରହିବ ଭାରତୀୟ ପାଣିପାଗ ବିଭାଗ କହିନି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଓଡ୍ରାଫ, ଅଗ୍ନିଶମ ଏବଂ ଏନ୍ଡିଆରଏଫ୍ ଟିମ୍କୁ ପଠାଯାଉଛି । ଗୁଜରାଟ ଯାଇଥିବା ଏନ୍ଡିଆରଏଫ୍ର ୫ଟି ଟିମ୍ ଫେରି ଆସିବେ । ସେ ଆହୁରି କହିଛନ୍ତି ବାତ୍ୟାକୁ ଦେଖି ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଛଡ଼ା ଯାଉନି । ଯେଉଁମାନେ ମାଛଧରା ବୋଟରେ ଅଛନ୍ତି,ସେମାନଙ୍କୁ କୋଷ୍ଟଗାର୍ଡ ଫେରାଇ ଆଣୁଛନ୍ତି । ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ । ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି । ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲିବେ ।
Comments are closed.