ବାତ୍ୟା ପ୍ରଭାବିତ ଅଞ୍ଚଳ ଯିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ ବାତ୍ୟାର ସ୍ଥିତି ଅନୁଧ୍ୟାନ କରିବେ

143

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଦିନ ସାଢେ ୧୨ଟାରେ ଏରିଏଲ ଭ୍ୟୁ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଅନୁଧ୍ୟାନ କରିବେ । ଏନେଇ ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ।

ଗତକାଲି ବାତ୍ୟା ସମୀକ୍ଷା ବେଳେ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଲରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇବାକୁ ଗୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରାଯିବ । ବାତ୍ୟା ୟାସରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା । ବାଲେଶ୍ୱରରେ ସ୍ଥଳଭାଗ ଛୁଇଁଥିବାବେଳେ ବ୍ୟାପକ ପବନ ଏବଂ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଏବଂ ଗଛ ଭାଙ୍ଗିଛି ।

ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଗୁଆ ନିଷ୍ପତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଧନଜୀବନ କ୍ଷତି ଘଟିନାହିଁ ।ଖୁବ କମ ସମୟ ମଧ୍ୟରେ ତଳିଆ ଅଂଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସେମାନଙ୍କ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସେହିପରି ବାତ୍ୟା ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତ୍ୱରିତ ନିଷ୍ପତି ଏବଂ ଆଗୁଆ ପଦକ୍ଷେପ ଯୋଗୁଁ ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇପାରିଛି ।

Comments are closed.