ତିହିଡ଼ି ବ୍ଲକରେ ବାତ୍ୟା ‘ୟାଶ୍’ର ପ୍ରଭାବ

0 128

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବାତ୍ୟା ‘ୟାଶ୍’ର ପ୍ରଭାବରେ ଜିରୋ କାଜୁଆଲିଟି ହୋଇଥିବାବେଳେ ବିଭିନ୍ନ ଗ୍ରାମରେ ବଡ଼ବଡ଼ ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏଥିସହିତ କେତେକ ଗ୍ରାମରେ ଚାଳଛପର ଘର ଉଡ଼ିଯାଇଥିବାବେଳେ କାନ୍ଥ ପଡ଼ି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଅନ୍ୟ କେତେକ ଗ୍ରାମରେ ବାସଗୃହ ଓ ଗୁହାଳ ଉପରେ ବଡ଼ବଡ଼ ଗଛ ପଡ଼ି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏପରିକି ଦୋଳସାହିଠାରେ ଗଛ ଉପୁଡ଼ି ଭଦ୍ରକଚାନ୍ଦବାଲି ରାସ୍ତାକୁ ଆଂଶିକ ଅବରୋଧ କରିଥିଲା । ଏଥିସହିତ ହରସିଂହପୁର ପଞ୍ଚାୟତର ବାରବାଟିଆ ଗ୍ରାମ, ବାମନବିନ୍ଧା ପଞ୍ଚାୟତର ସନ୍ଦକପୁର ଗ୍ରାମର ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା । ସେହିପରି ଗୁଆମାଳ ପୂର୍ତ୍ତବିଭାଗ ରାସ୍ତାରେ ବୃହତ ବରଗଛ ଉପୁଡ଼ି ଗୁଆମାଳ, ବୋଡ଼କ, କୁବେରା-ତାଳପଦା ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗଛ ଉପୁଡ଼ି ଗୁଆମାଳ ବିଶ୍ୱନାଥପୁର ରାସ୍ତା ଅବରୋଧ ହୋଇଥିବାବେଳେ ଅଚକ ପଞ୍ଚାୟତର ଛନ୍ଦାସାହି ରାସ୍ତା ପାଣିରେ ବୁଡ଼ିଯାଇଥିଲା । କାଳିମେଘା ଗ୍ରାମରେ ଗଛ ଉପୁଡ଼ି ଗୁଆମାଳ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଭାଟପଡ଼ା ତାରିଣୀ ମନ୍ଦିର ପାଖରେ ଗଛ ଉପୁଡ଼ି ଜଣେ ବ୍ୟକ୍ତିଙ୍କର ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ନୂଆନନ୍ଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗଛ ଉପୁଡ଼ିବା ସହିତ ଘର ମଧ୍ୟ ବାତ୍ୟାରେ ନଷ୍ଟ ହୋଇଛି । ସେହିପରି ବ୍ଲକର ବାରୋ, ବିଲଣା, କୁବେରା, ବୋଡ଼କ, ତଳଗୋପବିନ୍ଧା, କାଁପଡ଼ା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର, ସାହାପୁର, ସୟା, ବାହାବଳପୁର, ଦୋଳସାହି, ରାଜନଗର, ନରେନ୍ଦ୍ରପୁର, ଜାମଜୋଡ଼ି, ଦୌଲତପୁର, ଭାଟପଡ଼ା, ମୁକୁନ୍ଦପୁର ଇତ୍ୟାଦି ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ବଡ଼ବଡ଼ ଗଛ ଉପୁଡ଼ିବା ସହିତ କଚ୍ଚାଘର ଓ ଚାଳଘର ବାତ୍ୟାରେ ନଷ୍ଟ ହୋଇଥିବା ସୂଚନା ମିଳିଛି । ବାତ୍ୟାର ପ୍ରଭାବ ସାମାନ୍ୟ ଥମିବା ପରେ ପ୍ରଶାସନ
ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତତ୍କ୍ଷଣାତ୍ ଗଛକାଟି ରାସ୍ତା ଅବରୋଧ ହଟେଇବା ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ କୁମାର ସାହାଣୀ, ଆକାଉଣ୍ଟସ୍ ଅଫିସର ସୌମ୍ୟନନ୍ଦନ ପଟ୍ଟନାୟକ ଓ ଡବ୍ଲ୍ୟୁଓ ଜ୍ଞାନେନ୍ଦ୍ର ସାମଲ ୪ଟି ଟିମ୍ ଗଠନ କରି ବିଭିନ୍ନ ପଞ୍ଚାୟତକୁ ଓଡ୍ରାଫ, ଏନ୍ଡିଆରଏଫ ଓ ଅଗ୍ନିଶମ ବିଭାଗକୁ ନେଇ ଗଛ କାଟିବାକୁ ତ୍ୱରାନ୍ୱିତ କରାଯାଇଥିଲା । ଓଡ୍ରାଫ ଟିମ୍ରେ ପି. ଆର୍. ସେଠ୍, ଏନ୍ଡିଆରଏଫ ଟିମ୍ରେ ଛୁବା,
ତିହିଡ଼ି ଅଗ୍ନିଶମ ବିଭାଗର ଅଧିକାରୀ ଆଲୋକଦେବ ଗୋସ୍ୱାମୀ ଓ ଗଦି ଅଗ୍ନିଶମ ବିଭାଗର ସମିର ବିଶ୍ୱାଳ, ବାହାଦୁର ସେନାପତି, ଭଗବାନ ରାଉତ ଓ ଗଜେନ୍ଦ୍ର ପ୍ରମୁଖ ତାଙ୍କ ଟିମ୍ ମାଧ୍ୟମରେ ଗଛ କାଟି ରାସ୍ତାସଫା କାର୍ଯ୍ୟ କରିଥିଲେ । ବିଶେଷକରି ତହସିଲଦାର ଶ୍ରୀ ପଣ୍ଡା ବାତ୍ୟା ପରେ ନିଜେ ରାସ୍ତାରୁ ପଡ଼ିଥିବା ଗଛକୁ ଉଠାଇବାକୁ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ଜୀବନଜ୍ୟୋତି ସଂଗଠନ, ଯୁବମଞ୍ଚ, ଗୋପବନ୍ଧୁ ସେବାସଂଘ, ଉକ୍ରଳମଣି
ସେବାସଂଘ, ପ୍ରଦେଶ ସେବା ସଂଗଠନ ପ୍ରମୁଖ ବାତ୍ୟାରେ ବିଭିନ୍ନ ଗଛକଟା ସହିତ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ । ବ୍ଲକଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଅତିରିକ୍ତ ବିଡିଓ ଗୁଲ ଫିରଦୋଷ, ଜିପିଓ ତରଣୀସେନ ବାରିକ, ସହକାରୀ ଯନ୍ତ୍ରୀ ରଶ୍ମୀରଞ୍ଜନ ମହାପାତ୍ର, କନିଷ୍ଠଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଭୀଷ୍ମଦେବ ଶତପଥୀ, ଅଲେଖ ତିର୍କୀ, ତୁଷାରକାନ୍ତ ମିଶ୍ର, ସୁକାନ୍ତ ମିଶ୍ର, ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା ଓ ମାନସୀ ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ, ଏନଆରଜିଏସ ଆସିଷ୍ଟାଣ୍ଟ ସୁଧାଂଶୁ ଶେଖର ନାୟକ ପ୍ରମୁଖଙ୍କ ସମେତ ୩୧ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାଙ୍କ ଆନ୍ତରିକ ସହଯୋଗ ପାଇଁ ବାତ୍ୟାର ଦୃଢ଼ ମୁକାବିଲା କରିଯାଇପାରିଥିବା ଜଣାଯାଇଛି ।

Leave A Reply

Your email address will not be published.