ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରର ଉପକଣ୍ଟର ରାଜସୀତାପୁର ଗ୍ରାମରେ ଥିବା କୋଭିଡ୍ ଡାକ୍ତରଖାନାରେ ୬୯ ଅମ୍ଳଜାନ ସଂଲଗ୍ନ ଶଯ୍ୟାର ସୁବ୍ୟବସ୍ଥା କରାଯାଇଛି । ଏହାକୁ ପରିଚାଳନା କରୁଛନ୍ତି, ରାଜ୍ୟ ସରକାର, ହାଇଟେକ୍ ମେଡିକାଲ୍ କଲେଜ ଏବଂ ଓଏଚପିସିଏଲ୍ । ଉକ୍ତ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ୧୦ଟି ଆଇସିୟୁ ଶଯ୍ୟା ଏବଂ ୩୧ଟି ଅମ୍ଳଜାନ ପରିଚାଳିତ ଶଯ୍ୟା ରହିଥିଲା । ରୋଗୀ ସଂଖ୍ୟାକୁ ଆଧାର କରି ଆଇସିୟୁ ସଂଖ୍ୟା ୧୫କୁ ବୃଦ୍ଧି କରାଯିବା ସହ ଅମ୍ଳଜାନ ସଂଲଗ୍ନ ଶଯ୍ୟା ୬୯କୁ ବୃଦ୍ଧି କରାଯାଇଛି । ୧୩ଟି ଶଯ୍ୟା ପାଇଁ ଗତକାଲି ଠାରୁ ଅମ୍ଳଜାନ କନ୍ସେନ୍ଟ୍ରେଟର୍ ଏବଂ ୧୫ଟି ଶଯ୍ୟା ପାଇଁ ସାଧାରଣ ଅମ୍ଳଜାନ (ବି-ଟାଇପ) ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜି ଏହାକୁ ଉଦ୍ଘାଟନ କରିଥିଲେ ହାଇଟେକ୍ ମେଡିକାଲ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ କୋଭିଡ୍ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ପ୍ରଫେସର ଡା. ଯୋଗେଶ ଚେଟ୍ଟୀ, ଡା. ମୃତ୍ୟୁଞ୍ଜୟ ସାହୁ ଓ ଡା. ସତ୍ୟ ରଥ ଉପସ୍ଥିତ ଥିଲେ ।