ସେରଙ୍ଗ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ… ?

0 98


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସେରଙ୍ଗ ପୋଲିସର କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ଲକ ମହକୁମାରେ ବହୁ ଲୋକଙ୍କ ସମାଗମରେ ବିବାହ ଶୋଭାଯାତ୍ରା ଦ୍ୱାରା କୋଭିଡ୍ ନିୟମ ଉଲ୍ଲଙ୍ଘନ ଚାଲିଥିବା ପୋଲିସ ଜାଣିପାରିଲେ ନାହିଁ । ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏ ନେଇ ଚେତାଲେ ଏବଂ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କଲେ । ପୋଲିସର ଏଭଳି କାର୍ଯ୍ୟଦକ୍ଷତାକୁ ନେଇ ଗଜପତି ଏସପି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ଜିଲ୍ଲାର ଗୁମ୍ମା ସଦର ମହକୁମା ଗୁମ୍ମା ଖ୍ରୀଷ୍ଟିଆନ ସାହି ଠାରେ ବାହାଘର ନିମନ୍ତେ ବରଯାତ୍ରୀଙ୍କ ଶୋଭାଯାତ୍ରାରେ ଅଧିକ ଲୋକଙ୍କ ସମାଗମ ସହ ନାଚଗୀତର ଆସର ଜମିଥିଲା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହଂସଦା ଅନୁଧ୍ୟାନ କରିବା ପରେ ବରର ପିତାଙ୍କୁ କରୋନା ନିୟମକୁ ଉଲଂଘନ ପାଇଁ ୧୦ହଜାର ଟଙ୍କା ଜୋରିମାନା ବିଧାନ କରି ଆଦାୟ କରିଥିଲେ । ଏଠାରେ ବଡ ପ୍ରଶ୍ନ ଉଠୁଛି ଯେ, ଗୁମ୍ମା ସଦରରେ ଯଦି ଖୁଲମଖୁଲା ବରଯାତ୍ରୀ ଶୋଭାଯାତ୍ରାରେ କୋଭିଡ୍ ୧୯ ନିୟମକୁ ଉଲଂଘନ କରି ଏଭଳି ବହୁ ଲୋକଙ୍କ ସମାଗମ ଖବର ସେରଙ୍ଗ ପୋଲିସ ଠାରେ ପହଞ୍ଚୁନାହିଁ ତାହା ହେଲେ କୋଣ ଅନୁକୋଣ ଗ୍ରାମାଞ୍ଚଳରେ ଘଟୁଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ପୋଲିସର ଗତିବିଧି କିପରି ରହିଛି ସହଜରେ ଅନୁମେୟ । ଅନ୍ୟ ପକ୍ଷରେ ପୋଲିସ ରାତ୍ରକାଳୀନ ପେଟ୍ରୋଲିଂ କରୁଥିଲେ ମଧ୍ୟ ଏପରି ଏକ ଶତାଧିକ ବ୍ୟକ୍ତିବିଶେଷ ଥିବା ଶୋଭାଯାତ୍ରା ଉପରେ ନଜର କେମିତି ପଡିଲା ନାହିଁ ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.