ବିନା ଟ୍ରାଏଲରେ ଦିଆଯିବ କରୋନା ଟିକା

0 136

ନୂଆଦିଲ୍ଲୀ, ୨୭ ।୫: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆଉଟପାଉଟ ଭାରତୀୟଙ୍କ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି ଭାରତ ସରକାର । କେନ୍ଦ୍ର ସରକାର ଟିକାର ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି । ବିଦେଶୀ ଟିକାକୁ ଫାଷ୍ଟଟ୍ରାକ ଉପାୟରେ ଦେଶକୁ ଆଣି ଲୋକଙ୍କୁ ଏହା ସିଧାସଳଖ ଦେବା ପାଇଁ ଟ୍ରାଏଲ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାର ଅର୍ଥ ବିଦେଶୀରୁ ଆସୁଥିବା କରୋନା ଟିକା ବିନା କୌଣସି ସ୍ଥାନୀୟ ଟ୍ରାଏଲରେ ଲୋକଙ୍କୁ ସିଧାସଳଖ ଦିଆଯିବ । ପୂର୍ବରୁ ଯେକୌଣସି ଟିକାର ଡୋଜ୍ ଲୋକଙ୍କୁ ଦେବା ପୂର୍ବରୁ ଏହାର ସ୍ଥାନୀୟ ଟ୍ରାଏଲ ବାଧ୍ୟତାମୂଳକ ଥିଲା । ଅର୍ଥାତ ବିଦେଶୀ କମ୍ପାନୀର ଟିକା ଦେଶର ଲୋକଙ୍କୁ ଦେବା ପୂର୍ବରୁ ଏହାର ଟ୍ରାଏଲ ଭାରତରେ କରାଯିବାର ନିୟମ ରହିଥିଲା । ବର୍ତ୍ତମାନ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ ଲୋକଙ୍କୁ ଦିଆଯାଉଛି । ସେହିପରି ରୁଷର କରୋନା ଟିକା ସ୍ପୁଟନିକ-ଭି ଟିକା ମଧ୍ୟ ଖୁବଶୀଘ୍ର ଲୋକଙ୍କୁ ଦିଆଯିବ ବୋଲି ଭାରତ ସରକାର ଅନୁମତି ଦେଇଛନ୍ତି । ତଥାପି ଟିକାର ଅଭାବ ଦେଖାଯାଉଥିବାରୁ ବିଭିନ୍ନ ଦେଶରେ ବ୍ୟବହୃତ ହେଉଥିବା ଟିକାକୁ ଭାରତ ସରକାର ଦେଶକୁ ଫାଷ୍ଟଟ୍ରାକ୍ ପ୍ରଣାଳୀରେ ଆଣିବାକୁ ଚାହୁଁଛନ୍ତି । ଏହି କାରଣରୁ ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ଟିକା କମ୍ପାନୀଗୁଡ଼ିକୁ ଭାରତରେ ଟିକାର ଉତ୍ପାଦନ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ ଫାଇଜର ଜନସନ ଆଣ୍ଡ ଜନସନ ଓ ମଡର୍ଣ୍ଣା କମ୍ପାନୀ ସହ ଭାରତ ସରକାର ଟିକା ଆଣିବାକୁ କଥାବାର୍ତ୍ତା କରୁଛନ୍ତି । ଫାଇଜର ମଧ୍ୟ ଭାରତ ସରକାରଙ୍କୁ ସିଧାସଳଖ ଟିକା ଦେବାକୁ ପ୍ରସ୍ତୁତ ଥିବା କହିଛି । ଫାଇଜର ଟିକା ଏଯାଏ ପ୍ରସ୍ତୁତ ହୋଇଥିବା ସମସ୍ତ କରୋନା ଟିକା ଠାରୁ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ହେଁ ଏଯାଏ ଦେଶରେ ମାତ୍ର ୩% ଲୋକଙ୍କୁ ଟିକାର ଡବଲ ଡୋଜ ଦିଆଯାଇପାରିଛି । ବିଦେଶରୁ ଟିକା ଆସିଲେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରାଯାଇ ପାରିବ ବୋଲି ଭାରତ ସରକାର ଆଶା ରଖିଛନ୍ତି ।

Leave A Reply

Your email address will not be published.