ନୂଆଦିଲ୍ଲୀ, ୨୭ ।୫: କରୋନାର ଦ୍ୱିତୀୟ ଲହର ଯଦିଓ ଟିକିଏ ନିୟନ୍ତ୍ରଣ ହୋଇଛି । ହେଲେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଯେମିତି କ୍ରମଶଃ କମି ୨ ଲକ୍ଷ ହେଲା ଏବେ ସେଭଳି ଭାବରେ କମୁନାହିଁ । ମଙ୍ଗଳବାର ଦୈନିକ ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷରୁ କମ୍ ଚିହ୍ନଟ ହୋଇଥିଲା । ଏହାପରେ କିନ୍ତୁ ୨ ଲକ୍ଷ ଉପରେ ଦୈନିକ ସଂକ୍ରମିତ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଗୁରୁବାର ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ୨,୧୧,୨୯୮ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୪୭ ଜଣ କରୋନାରେ ଆଖି ବୁଜିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୧୧,୨୯୮ ଜଣ ସଂକ୍ରମିତ ହୋଇଛି । ଦେଶରେ ମେ ୬ ରେ ସର୍ବାଧିକ ୪,୧୪,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରଠୁ ସଂକ୍ରମିତ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ଘଟୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ୧,୯୬,୪୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ୪୦ ଦିନ ପରେ ଦୈନିକ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ତଳେ ଥିଲା । ଏବେ ଦୈନିକ ସଂକ୍ରମିତ ହାର ଆଜି ୯.୭୯ ପ୍ରତିଶତକୁ ହ୍ରାସ ପାଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଏହି ସଂକ୍ରମଣ ହାର ୧୦ ପ୍ରତିଶତରୁ କମ୍ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୮୪୭ ଜଣ ଆକ୍ରାନ୍ତଙ୍କର ବିୟୋଗ ହୋଇଥିଲା । ଏହାକୁ ମିଶାଇ ମୋଟ୍ ମୃତ୍ୟୁସଂଖ୍ୟା ୩,୧୫,୨୩୫ କୁ ବୃଦ୍ଧି ହୋଇଛି । ଏବେ ଦେଶରେ ମୃତ୍ୟୁହାର ୧.୧୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୮୩,୧୩୫ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୪୬,୩୩,୯୫୧କୁ ବୃଦ୍ଧି ପାଇଛି । ଏବେ ଦେଶରେ ଆରୋଗ୍ୟ ହାର ୯୦ ପ୍ରତିଶତରୁ ଅଧିକ ରହିଛି ।