“ହଜାରେ ପିଆଇଏଲ୍ ଦାଖଲ କରାଗଲେ ବି ଲୋକଙ୍କ ଜୀବନ ବଞ୍ଚାଇବା ଜାରି ରଖିବି’

0 75

ନୂଆଦିଲ୍ଲୀ, ୨୭ ।୫: ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଜର ରୋକଠୋକ୍ ଆଚରଣ ପାଇଁ ପରିଚିତ । ଏହାଛଡ଼ା ସେ ରାଜନୀତିରେ ପାଦ ଦେବା ପରଠାରୁ ବହୁ ଅସହାୟଙ୍କୁ ସହାୟତାର ମଧ୍ୟ ହାତ ବଢ଼ାଇଛନ୍ତି । ଗତବର୍ଷ ସେ ୧ ଟଙ୍କାରେ “ଜନ୍ ରୋଷେଇ’ କାର୍ଯ୍ୟକ୍ରମ କରିଥିବା ବେଳେ ଏବେ କରୋନା ସମୟରେ ସେ ଲୋକଙ୍କୁ ଅକ୍ସିଜେନ୍, ମେଡିସିନ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦେଇ ମହାନତାର ପରିଚୟ ଦେଇଛନ୍ତି । କିନ୍ତୁ କରୋନା ମେଡିସିନ୍ ବିତରଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ପିଆଇଏଲ୍ ଦାଖର କରାଯାଇଛି । ଏ ନେଇ ଗମ୍ଭୀର କହିଛନ୍ତି ଯେ ତାଙ୍କ ବିରୋଧରେ ହଜାରେ ପିଆଇଏଲ୍ ଦାଖଲ କରାଗଲେ ବି ସେ ଲୋକଙ୍କ ଜୀବନ ବଞ୍ଚାଇବା କାମ ଜାରି ରଖିବେ । ପୂର୍ବ ଦିଲ୍ଲୀର ସାଂସଦ ଗମ୍ଭୀର କହିଛନ୍ତି ଯେ ଲୋକଙ୍କ ସେବା ପାଇଁ ଯାହା ଆବଶ୍ୟକ ଲାଗିଲା ସେ ତାହା କରିଛନ୍ତି ଏବଂ ସେ ଏଥିପାଇଁ କୌଣସି ଦଣ୍ଡର ସାମ୍ନା କରିବାକୁ ପ୍ରସ୍ତୁତ । ବୁଧବାର ଗମ୍ଭୀର ଏକ ପ୍ରେସ୍ କନଫରେନ୍ସରେ ପ୍ରଶ୍ନର ଜବାବରେ କହିଛନ୍ତି, ମୁଁ ଯେଉଁ ମେଡିସିନ୍ ବାଣ୍ଟିଥିଲି, ତାହା ସେତେବେଳେ ଆବଶ୍ୟକ ଥିଲା । ଗୋଟିଏ ନୁହେଁ ଯଦି ମୋ ବିରୋଧରେ ହଜାର ପିଆଇଏଲ୍ ଦାଖଲ କରାଯିବ, ତଥାପି ମୁଁ ଲୋକଙ୍କ ସେବା ଜାରି ରଖିବି ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିବି । ସେ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିବେ । ଯଦି ଆଗକୁ ଏମିତି ସୁଯୋଗ ପୁଣି ମିଳିବ, ତାହେଲେ ଏହି କାମ ଜାରି ରଖିବି । ଗମ୍ଭୀର କହିଛନ୍ତି, ଏବେ ପ୍ରଶ୍ନ ପଚରାଯିବା ଦରକାର ଯେ ଦିଲ୍ଲୀର ଦୋକାନରେ ମେଡିସିନ୍ କାହିଁକି ଉପଲବ୍ଧ ନଥିଲା ଏବଂ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ କାହିଁକି ଥିଲା । ମୁଁ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛି, ଯାହା ମୁଁ କରୁଛି । ସୂଚନାଯୋଗ୍ୟ, ଏହି ଅଭାବ ଭିତରେ ହାଇକୋର୍ଟ କୋଭିଡ୍-୧୯ ମେଡିସିନକୁ ରାଜନେତାଙ୍କ ଦ୍ୱାରା ବହୁଳ ମାତ୍ରାରେ କିଣିବା ମାମଲାର ତଦନ୍ତ କରିବା ପାଇଁ ସୋମବାର ଡ୍ରଗ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପିଆଇଏଲର ଶୁଣାଣି କରୁଥିବା ବିପିନ ସାଙ୍ଘୀ ଓ ଯଶମୀତ୍ ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ନିଶ୍ଚିତ ଯେ ଗମ୍ଭୀରଙ୍କ ଉଦ୍ଦେଶ୍ୟ ଠିକ୍ ଥିଲା । କିନ୍ତୁ ସେ ଯେଉଁଭଳି ଭାବେ ଏସବୁ କଲେ ତାହା ଅଜାଣତରେ ହେଉ ପଛେ, ତାହା ଭୁଲ୍ । ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଅକ୍ସିଜେନ୍ ସିଲିଣ୍ଡର, କନସେନଟ୍ରେର୍ଟ ଓ କୋଭିଡ୍ ମେଡିସିନ୍ ଫାବିଫ୍ଲୁର ବିତରଣ କରିଥିଲେ । ଯାହା ପରେ ଦିଲ୍ଲୀ ପୁଲିସ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଗମ୍ଭୀରଙ୍କ ବୟାନ ମାଗିଥିଲା । ଯାହା ପରେ ଗମ୍ଭୀର କହିଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ କରିବି । ମାନବତା ମୋ ପାଇଁ ସବୁଠାରୁ ବଡ଼ ଧର୍ମ ।’ ଗମ୍ଭୀରଙ୍କ ବିରୋଧରେ ଏହି ପିଆଇଏଲ୍ ଦୀପକ ସିଂହ ଦାଖଲ କରିଥିଲେ ।

Leave A Reply

Your email address will not be published.