ନବୀନ ସୃଷ୍ଟି କଲେ ନୂଆ ପରମ୍ପରା : ନିଜସ୍ୱ ସମ୍ବଳରେ ବାତ୍ୟା ମୁକାବିଲା

133

-ମାଗିଲେନି: ଓଡିଶାକୁ ମିଳିଲା ୫୦୦ କୋଟିର ସହାୟତା
-ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ହଜାର

ଭୁବନେଶ୍ୱର : ୟଶ୍ ବାତ୍ୟା ପୁନରୁଦ୍ଧାର କାମ ପାଇଁ ଓଡ଼ିଶାକୁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ । ସମୀକ୍ଷା ବେଳେ କ୍ଷୟକ୍ଷତି ମୁକାବିଲା କରିବାକୁ ଓଡ଼ିଶା କୌଣସି ସହାୟତା ମାଗିନଥିଲା । କୋଭିଡ୍ ସମୟରେ କେନ୍ଦ୍ରକୁ ଅଧିକ ଭାରାକ୍ରାନ୍ତ କରିବାକୁ ଚାହୁଁନଥିବାରୁ ସାହାଯ୍ୟ ମଗାଯାଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଟ୍ୱିଟ୍ରେ କହିଛନ୍ତି ଯେ, ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ଆସିଥିବାରୁ ତାଙ୍କୁ ଧନ୍ୟବାଦ । ସକାଳ ୧୦.୫୦ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦର କନ୍ଫରେନ୍ସ ହଲ୍ରେ ହିଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଓଡ଼ିଶା କ୍ଷୟକ୍ଷତି ନେଇ କୌଣସି ସାହାଯ୍ୟ ମାଗିନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ମହାମାରୀ ସମୟରେ କେନ୍ଦ୍ର ଉପରେ କୌଣସି ଚାପ ପକାଇବନି ଓଡ଼ିଶା । ରାଜ୍ୟ ନିଜ ସମ୍ବଳ ଜରିଆରେ କ୍ଷୟକ୍ଷତିର ମୁକାବିଲା କରିବ । ଭୁବନେଶ୍ୱରରେ ସମୀକ୍ଷା ପରେ ଆକାଶମାର୍ଗରେ ବାଲେଶ୍ୱର ଓ ଭଦ୍ରକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ।

ଏହାପରେ ଓଡ଼ିଶା ପାଇଁ ତୁରନ୍ତ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କ’ଣ କ’ଣ ହୋଇଛି ସେ ନେଇ ୮ମିନିଟ୍ର ଭିଡ଼ିଓ ମୋଦୀଙ୍କୁ ପ୍ରଦର୍ଶନ
କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟମରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।

ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ସୂରୁପ ୨ଲକ୍ଷ ଅନୁକମ୍ପା ରାଶି ଯୋଗାଇ ଦିଆଯିବ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାତ୍ୟା ୟଶ୍ରେ ସର୍ବାଧିକ କ୍ଷତି ହୋଇଥିବା ରାଜ୍ୟ ଓଡ଼ିଶାକୁ ୫ଶହ କୋଟି ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗକୁ ୨୫୦ କୋଟି ଏବଂ ଝାଡଖଣ୍ଡକୁ ୨୫୦ କୋଟି ସହାୟତା ରାଶି ଘୋଷଣା କରାଯାଇଛି । ଅସୁବିଧା ସମୟରେ ରାଜ୍ୟଗୁଡ଼ିକ ସହ ମିଶି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଏବଂ ବରିଷ୍ଠ ଅଧିକାରୀମାନେ
ଉପସ୍ଥିତ ଥିଲେ ।

ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା : ଆଗୁଆ ପ୍ରସ୍ତୁତି ଯୋଗୁ ସର୍ବନିମ୍ନ କ୍ଷତି

ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଏବଂ ପରିଚାଳନାକୁ ତଦାରଖ ପରେ ମୋଦୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଓ ରଣନୀତି ଯୋଗୁଁ ସର୍ବନିମ୍ନ ଜୀବନ ନଷ୍ଟ ହୋଇଛି ଏବଂ ପ୍ରାକୃତିକ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘକାଳୀନ ପ୍ରଶମନ ଉଦ୍ୟମ ସବୁବେଳେ ସଫଳ ହେଉଛି ବୋଲି କହିଛନ୍ତି ମୋଦୀ । ତେବେ ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ୟଶ୍ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ ।

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଦେଖି ସମୀକ୍ଷା ପରେ ପରେ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୋଦୀ । ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା କ୍ଷୟକ୍ଷତି ସହାୟତା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ବିପର୍ଯ୍ୟୟର ଅଧିକ ମୁକାବିଲା ପାଇଁ ବୈଜ୍ଞାନିକ ପରି·ଳନା ଦିଗରେ ଫୋକସ୍ କରିବାକୁ ହେବ । ଆରବ ସାଗର ଏବଂ ବଙ୍ଗୋପସାଗରରେ ସାଇକ୍ଲୋନିକ୍ ସିଷ୍ଟମର ଆବୃତ୍ତି ଏବଂ ପ୍ରଭାବ ବଢ଼ୁଥିବାରୁ ଯୋଗାଯୋଗ ପ୍ରଣାଳୀ, ପ୍ରଶମନ ପ୍ରୟାସ ଏବଂ ପ୍ରସ୍ତୁତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବାକୁ ପଡିବ ।

Comments are closed.