ଭୁବନେଶ୍ୱର : କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଘୁଞ୍ଚିଲା । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ୍ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କଂପାନୀ ଅଂଶଗ୍ରହଣ କରିଥିଲେ । ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା । ଏହାପରେ ଫାଇନାନ୍ସିଆଲ୍ ବିଡ୍ ଖୋଲା ଯାଇଥାନ୍ତା । ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ।
ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳିପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଛନ୍ତି । ଏହାସହ ଅଧିକ କଂପାନିକୁ ଆକୃଷ୍ଟ କରିବାକୁ ନିକଟରେ ଟେଣ୍ଡରର କେତେକ ସର୍ତ୍ତରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୨ କୋଟି ହୋଇପାରେ ।