ବେତାଜ୍ ବାଦ୍ ଶାହ ନବୀନ

72

୨୦୦୦ ମସିହା ଓଡ଼ିଶା ରାଜନୀତି ପାଇଁ ଥିଲା ଏକ ଟର୍ଣ୍ଣିଂ ପଏଣ୍ଟ । ମହାବାତ୍ୟାର ଠିକ୍ ୧ବର୍ଷ ପରେ ସାରା ଓଡ଼ିଶା ଦୁଃଖ ଦୁର୍ଦ୍ଦିନରେ ଗତି କରୁଥିବା ସମୟରେ ଓଡ଼ିଶାବାସୀଙ୍କ ସାହାରା ପାଲଟିଥିଲେ ନବୀନ ପଟ୍ଟନାୟକ । ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ଗଢ଼ିଥିଲେ ନୂଆ ସରକାର । ନବୀନଙ୍କ ଆଗମନରେ ଅସଜଡ଼ା ଓଡ଼ିଶା ପାଇଥିଲା ନୂଆ ରୂପ । ରାଜନୀତିରେ ଏଣ୍ଟ୍ରି କରୁ କରୁ ସେ ଏକାଧିକ ଜନକଲ୍ୟାଣମୂଳକ ଯୋଜନା ହାତକୁ ନେଇ ଜନମାନସରେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଆଉ ୪ ବର୍ଷ ଶାସନ ପୂରା କରିବା ପରେ ଜନତାଙ୍କୁ ଦେଇଥିଲେ ହିସାବ ନିକାଶ । ପୁଣି ୨୦୦୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ମେଣ୍ଟ ସରକାରକୁ ଦେଇଥିଲେ ଅଜସ୍ର ସମର୍ଥନ ।

ଯଦିଓ କେନ୍ଦ୍ରରେ ବିଜେପି କ୍ଷମତା ହରାଇଥିଲା କିନ୍ତୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଏହାର ପ୍ରଭାବ ପଡ଼ିନଥିଲା । କିନ୍ତୁ ୨୦୦୯ ମସିହାରେ ମେଣ୍ଟ ସରକାରରେ ପଡ଼ିଥିଲା ପୂର୍ଣ୍ଣଛେଦ । ଉଭୟ ବିଜେଡି ଓ ବିଜେପି ବିଭିନ୍ନ ମତପାର୍ଥକ୍ୟ କାରଣରୁ ପୃଥକ ହୋଇଯାଇଥିଲେ । କିଛି ରାଜନୈତିକ ବିଶାରଦ ମତ ଦେଇଥିଲେ ବୋଧହୁଏ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି କ୍ଷମତା ଅଳଙ୍କୃତ କରିବାରେ ସଫଳ ହୋଇନପାରେ । କିନ୍ତୁ ସମସ୍ତଙ୍କ ଅଙ୍କକଷାକୁ ଭୁଲ୍ ପ୍ରମାଣିତ କରି ପୁଣିଥରେ ଲୋକଙ୍କ ଆସ୍ଥାଭାଜନ ହୋଇଥିଲେ ସେ । ୧୪୭ ବିଧାନସଭା ଆସନରୁ ବିଜେଡି ଏକାକୀ ୧୦୩ ଆସନ ପାଇ ରାଜ୍ୟରେ ସରକାର ଗଠନ କରିଥିବା ବେଳେ ୨୧ ଲୋକସଭା ଆସନରୁ ମଧ୍ୟ ୧୪ଟିରେ ବିଜୟଲାଭ କରି କେନ୍ଦ୍ର ରାଜନୀତିରେ ବିଜେଡି ନିଜର ଦବ୍ଦବା ଜାହିର କରିବାକୁ ସକ୍ଷମ ହୋଇଥିଲା । ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଆସନ ଅକ୍ତିଆର କରି ପ୍ରମାଣିତ କରିଦେଇଥିଲା ଯେ ଓଡ଼ିଶାବାସୀଙ୍କ ପାଇଁ ବିଜେଡି ହିଁ ହେଉଛି ଏକମାତ୍ର ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ରାଜନୈତିକ ଦଳ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଅଦ୍ୱିତୀୟ ଓ ସର୍ବମାନ୍ୟ ନେତା । ତାଙ୍କ ସମକକ୍ଷ ଆଉ କେହି ନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦି ଲହର ଚାଲିଥିବା ବେଳେ ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିବ ବୋଲି ପୁଣିଥରେ ରାଜନୈତିକ ବିଶାରଦମାନେ ପୂର୍ବାନୁମାନ କରିଥିଲେ । ଏପରିକି ବିଜେପି ମଧ୍ୟ ମୁହଁଫୁଟାଣି ମାରି କହିଥିଲା ଯେ ଆମେ ଏଥର ୧୨୦+ ଆସନ ଜିତି ରେକର୍ଡ କରିବୁ । କିନ୍ତୁ ସର୍ବଦା ସ୍ଥିର ଓ ଦୃଢ଼ମନା ଥିବା ନବୀନ ସ୍ମିତହାସ୍ୟଟିଏ ଦେଇ ପରୋକ୍ଷରେ ସୂଚନା ଦେଇଥିଲେ କି ସେ ହିଁ ପୁଣି ଜିତିବେ । ଆଉ ତାହା ମଧ୍ୟ ପ୍ରତିଫଳିତ ହୋଇଥିଲା । ୨୦୧୯ ନିର୍ବାଚନରେ ବିଜେଡି ୧୧୨ବିଧାନସଭା ଓ ୧୨ଟି ଲୋକସଭା ଆସନ ଅକ୍ତିଆର କରିଥିଲା । ଲଗାତାର ଓଡ଼ିଶାବାସୀ ତାଙ୍କୁ ୫ଥର ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ଦେବା ମୂଳର ମୁଖ୍ୟ କାରଣ ହେଉଛି ନବୀନଙ୍କ ସୁଶାସନ । କାରଣ ସେ ଯେବେଠାରୁ ଓଡ଼ିଶାର ମଙ୍ଗ ଧରିଛନ୍ତି ସେବେଠାରୁ ଓଡ଼ିଶାବାସୀ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଚାଲିଛନ୍ତି ।

ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଥିବା ଓଡ଼ିଶାକୁ ସେ ଦେଇଛନ୍ତି ନୂଆ ସଞ୍ଜିବନୀ । ତାଙ୍କ ଶାସନରେ ବିଶେଷକରି ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ହେବା ସହ କୃଷି କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିଛି । ମହିଳା ସଶକ୍ତିକରଣ, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ, ଶିଳ୍ପରେ ନୂଆ ଆଶା ସଂଚାର, ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ, ପୋଲିସ ପ୍ରଶାସନକୁ ସୁଦୃଢ଼, ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଓ ଏମିତି ବହୁ ଉଲ୍ଲେଖନୀୟ ସଫଳତା ଆଜି ତାଙ୍କୁ ଶିଡି ପରେ ଶିଡି ଚଢ଼ିବାରେ ସହାୟତା ହୋଇଛି । ତା’ ବାଦ୍ ବି ସାରା ଭାରତକୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଯଥାସମ୍ଭବ ସହାୟତା ପ୍ରଦାନ କରି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ନବୀନ । ଆଉ ଗାନ୍ଧୀ ଚିନ୍ତାଧାରା ଉପରେ ବିଶ୍ୱାସ ରଖିଥିବା ନବୀନବାବୁଙ୍କ ପ୍ରତି ଖାଲି ଓଡ଼ିଶାବାସୀ କାହିଁକି ସମଗ୍ର ଦେଶବାସୀ ମଧ୍ୟ ତାଙ୍କୁ ପ୍ରଶଂସା ନକରି ରହିପାରୁ ନାହାନ୍ତି । ଏଥିରୁ ତାଙ୍କର ଲୋକପ୍ରିୟତା ବେଶ୍ ବାରି ହୋଇପଡ଼ୁଛି । ତେଣୁ ତାଙ୍କୁ କେହି କେହି ରାଜନୀତିର ବେତାଜ୍ ବାଦ୍ଶାହ ବୋଲି କହିବା ଆରମ୍ଭ କଲେଣି ।

ସମ୍ପାଦକ
ଅକ୍ଷୟ କୁମାର ପଟନାୟକ

Comments are closed.