ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା :ବିପର୍ଯ୍ୟୟ ମୁକାବିଲାରେ ନବୀନ ବିଶ୍ୱଗୁରୁ

64

-ମୁଖ୍ୟମନ୍ତ୍ରୀ ନବୀନ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ
-କେନ୍ଦ୍ର ଭୂ-ବିଜ୍ଞାନ ସଚିବ ଓ ଆନନ୍ଦ ମହିନ୍ଦ୍ରା କଲେ ତାରିଫ୍
-ଟ୍ୱିଟର୍ରେ ଟ୍ରେଣ୍ଡ କରୁଛି ଜାତିସଂଘରେ ନବୀନଙ୍କୁ ପ୍ରଶଂସା ପ୍ରସଙ୍ଗ

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ଓଡ଼ିଶା ପାଖରୁ ଶିଖିବା ଦରକାର । ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ପ୍ରଶଂସା କରିଛି ଜାତିସଂଘ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଜାତିସଂଘର ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ମାମି ମିଜୁତୋରି କହିଛନ୍ତି । ବାତ୍ୟା ୟଶ୍ ର ସଫଳ ମୁକାବିଲା ପରେ ପୁଣି ଓଡ଼ିଶା ମଡେଲ୍ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ମାମି ମିଜୁତୋରି କହିଛନ୍ତି ଯେ, ବିପର୍ଯ୍ୟୟ ମୁକାବିଲାର ସଠିକ୍ ପରିଚାଳନା, ସୁଚିନ୍ତିତ ଯୋଜନା ଓ ପୂର୍ବ ପ୍ରସ୍ତୁତି କିଭଳି କରାଯାଏ ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଅନ୍ୟମାନେ ଶିଖିବା ଦରକାର । ୧୯୯୯ ମହାବାତ୍ୟା ପରେ କ୍ଷମତାକୁ ଆସିଥିବା ନବୀନ ସରକାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବିକାଶିତ କରିବା ସହ ମଜବୁତ କରିଛନ୍ତି । ତା’ପରେ ଫାଇଲିନ୍ ଓ ଫନି ଭଳି ବାତ୍ୟା ଆସିଥିଲେ ମଧ୍ୟ ୧୯୯୯ ଭଳି ଘଟଣାର ପୁନରାବୃତ୍ତି ହୋଇନି ବୋଲି ଶ୍ରୀମତୀ ମିଜୁତୋରି କହିବା ସହିତ ତାଙ୍କୁ ବିପର୍ଯ୍ୟୟ ମୁକାବିଲାର ବିଶ୍ୱଗୁରୁ ବୋଲି ଅଭିହିତ କରିଛନ୍ତି ।

ପୂର୍ବରୁ ୨୦୧୩ରେ ଫାଇଲିନ୍ ବାତ୍ୟାର ସଫଳ ମୁକାବିଲା ପାଇଁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ମାନପତ୍ର ପ୍ରଦାନ କରିଥିଲା । ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ମୁକାବିଲାରେ ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା ଏବେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ମନ୍ତ୍ରିପରିଷଦ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି । ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ମୁକାବିଲା ନେଇ ତାଲିମ ନେବେ । ଛାତ୍ରଛାତ୍ରୀ ମଧ୍ୟ ଏ ସମ୍ପର୍କିତ ପାଠ ପଢ଼ିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଣାଳୟ ସଚିବ ମାଧବନ୍ ରାଜୀବନ୍ । ସେ କହିଛନ୍ତି ୧୯୯୯ ମହାବାତ୍ୟା ପରଠାରୁ ବର୍ଷ ବର୍ଷ ଧରି ଶିକ୍ଷାଲାଭ କରିଛି ଓଡ଼ିଶା । ଏକ ସଶକ୍ତ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ବିକାଶ କରାଯାଇଛି । ଯାହା ଅନ୍ୟ ରାଜ୍ୟ ଶିଖିବା ଦରକାର । ମାଧବନ୍ଙ୍କ ଟ୍ୱିଟ୍ର ଉତ୍ତର ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଓଡିଶାର ଏ ସଫଳତା ଗୋଟେ ରାତିରେ ମିଳିନି ବରଂ ୨୦ବର୍ଷ ଧରି ଓଡିଶା ଯେଉଁ ଅସାଧାରଣ ସଫଳତା ହାସଲ କରିଛି ତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ । ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡିଶା ସଫଳତା ଓ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ସେହିପରି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରିଫ୍ କରିଛନ୍ତି । ସେ କହିଛନ୍ତି ଯେତେବେଳେ ପ୍ରକୃତି, ଏହାର କାରକ ପୃଥିବୀକୁ ଅତ୍ୟଧିକ ଅସ୍ଥିର ଓ ଅପ୍ରତ୍ୟାଶିତ କରିଦେଇଛନ୍ତି ଏହାର ନେତୃତ୍ୱ ଲାଗି ବିରାଟ ଶିକ୍ଷା । ସେହିଭଳି ଓଡ଼ିଶା ଗସ୍ତରେ ଆସି ବାତ୍ୟା ୟଶ୍ କ୍ଷୟକ୍ଷତିର ଅନୁଧ୍ୟାନକରି ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ଅଧିକାରୀ ପ୍ରଶଂସା କରିବା ପରେ ଏହା ଏବେ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ୨ ନମ୍ବରରେ ଟ୍ରେଣ୍ଡ କରୁଛି #UNLaudsNaveenAgain ।

Comments are closed.