ଦ୍ୱିତୀୟ ପିକ୍ ର ପ୍ରକୋପ ୪ଗୁଣ ଅଧିକ

60

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି । ଏହା ନିଶ୍ଚିତ ଭାବେ ରାଜ୍ୟ ସରକାର ଏବଂ ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । ରାଜ୍ୟରେ ମେ ୨୨ ତାରିଖ କରୋନାର ପିକ୍ ସମୟ ଥିଲା । ଏବେ ସ୍ଥିତିରେ ସୁଧାର ଆସୁଛି । ସଂକ୍ରମଣ କମୁଥିବା ବେଳେ ସୁସ୍ଥହାର ବଢୁଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ୍ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢିଥିଲେ ମଧ୍ୟ ସଂକ୍ରମଣ ହାର କମିଛି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁପିକ୍ ସମୟ ବୋଲି ଧରି ନିଆଯିବ । ଆମ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ବିଷୟ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କରୁଥିଲେ ବି ବିପଦ ରହିଛି । ତେଣୁ ଏହି ଦୁଇ ରାଜ୍ୟ ସହ ଲାଗି ରହିଥିବା ସୀମାକୁ ସିଲ୍ କରାଯାଇଛି ।

ବର୍ତ୍ତମାନ ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣ ହାର ୬୦ ପ୍ରତିଶତ ରହିଛି । ଏହି ଜିଲ୍ଲାଗୁଡିକ ହେଲେ ଖୋର୍ଦ୍ଧା, କଟକ, ଅନୁଗୋଳ, ସୁନ୍ଦରଗଡ, ପୁରୀ, ମୟୂରଭଞ୍ଜ,ବାଲେଶ୍ୱର, ବରଗଡ ଓ ଯାଜପୁର । ୧୯ ଜିଲ୍ଲାରେ ସଂକ୍ରମଣ ହାର କମୁଛି ଏବଂ ୫ ଜିଲ୍ଲାରେ ଏହା ୫ ପ୍ରତିଶତ ତଳେ ରହିଛି । ଆଗକୁ ୧୪ ଦିନରେ ସଂକ୍ରମଣ ଆହୁରି କମିବ ବୋଲି ଆଶା କରାଯାଉଛି ବୋଲି ଏସିଏସ୍ କହିଛନ୍ତି । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇ ଆଜି ସୁଦ୍ଧା ୧୪ ପ୍ରତିଶତରେ ରହିଛି । ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି । ଗୁରୁତର ରୋଗୀଙ୍କ ସଂଖ୍ୟା କମି କମି ଆଜି ୭୨ ପ୍ରତିଶତରେ ପହଞ୍ଚିଛି ।

ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ୧୮ ରାଜ୍ୟକୁ ଆମେ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇ ସାରିଛୁ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି । ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବ୍ଲାକ ଫଙ୍ଗସ୍ ନିୟନ୍ତ୍ରଣରେ ରହିଛି । ଓଡିଶାରେ ସେମିତି ସ୍ଥିତି ଉପୁଜି ନଥିବା କହିଛନ୍ତି ଏସିଏସ୍ । ଦେଶରେ କରୋନା ସ୍ଥିତି ନେଇ ଏସିଏସ୍ କହିଛନ୍ତି, ଦୁଇ ସପ୍ତାହ ତଳେ ବିଶ୍ୱର ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫୪ ପ୍ରତିଶତ ଆମ ଦେଶରେ ଥିଲେ । ବର୍ତ୍ତମାନ ଏହା ହ୍ରାସ ପାଇ ୩୪ ପ୍ରତିଶତରେ ପହଞ୍ଚିଛି । ମେ ୪ରେ ଦେଶରେ ୪ ଲକ୍ଷ ୧୪ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେଣୁ ମେ ୪ ତାରିଖ ଦେଶ ପାଇଁ ପିକ୍ ସମୟ ଥିଲା । ଗତ ବର୍ଷ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ବର୍ଷ ସେପ୍ଟେମ୍ବର ୨୬କୁ ପିକ୍ ବୋଲି ଧରାଯାଇଥିଲା । ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ର ପ୍ରକୋପ ୪ ଗୁଣ ଅଧିକ ରହିଛି ।

Comments are closed.