କଟକଣା କେବଳ ଫାଇଲ୍ ର ପୋଥି ମଧ୍ୟରେ ସୀମିତ

78

ମେ’ ୩୧ ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଦିବସ ଅବସରରେ ପ୍ରତିବର୍ଷ ଗତାନୁଗତିକ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟ କରାଯାଏ । ଆମ ରାଜ୍ୟରେ ୮ବର୍ଷ ହେଲାଣି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି ହୋଇଛି । କିନ୍ତୁ ଏହି କଟକଣା କେବଳ ଫାଇଲ୍ର ପୋଥି ମଧ୍ୟରେ ସୀମିତ ହୋଇ ରହିଯାଇଛି । କଟକଣା ତା’ ବାଟରେ ଥିବାବେଳେ ବେଧଡ଼କରେ ତମାଖୁ ଦ୍ରବ୍ୟ ବିଭିନ୍ନ ଦୋକାନରେ ଖୁଲମ୍ଖୁଲ୍ଲା ବିକ୍ରି ଚାଲିଛି । ଏହାକୁ ଅବକାରୀ ଏବଂ ପୋଲିସ ବିଭାଗ ଦେଖୁଥିଲେ ହେଁ ସେଥିପ୍ରତି ତାଙ୍କର ନିଘା ନଥାଏ । ଖାଲି ଏତିକି ନୁହେଁ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା ନାମରେ ବିପୁଳ ଅର୍ଥ ବରବାଦ୍ ହେଉଥିବା ବେଳେ ଏହାର ବ୍ୟବହାର କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଯେତେଲୋକ ଆକ୍ରାନ୍ତ ହେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି ସେଥିମଧ୍ୟରୁ ତୁଳନାତ୍ମକ ଭାବେ ଭାରତରେ ସଂଖ୍ୟାଧିକ ଲୋକେ ମରୁଥିବାରୁ ଆମ ଦେଶକୁ ମୁଖଗହ୍ୱର କର୍କଟ ରୋଗର ରାଜଧାନୀ ବୋଲି ଗଣା ହୋଇଥାଏ । ମୁଖ ଗହ୍ୱର କର୍କଟ ରୋଗର ମୁଖ୍ୟ କାରଣ ତମାଖୁ, ଗୁଟ୍କା, ମଦ ଓ ଅନ୍ୟାନ୍ୟ ନିଶା ସେବନ ବୋଲି ବାରମ୍ବାର ସରକାରଙ୍କ ପକ୍ଷରୁ ପ୍ରଚାର ପ୍ରସାର କରାଯାଉଥିବାବେଳେ ଏହାର ମୂଳୋତ୍ପାଟନ କିନ୍ତୁ ଏଯାଏଁ ସମ୍ଭବ
ହୋଇନାହିଁ । ଦେଶରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ଭଳି ରାଜ୍ୟ ମାନଙ୍କରେ ଅଧିକ ତମାଖୁ, ଗୁଟ୍କା ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏସବୁ ଅଞ୍ଚଳରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଏହାବ୍ୟତୀତ ମଦ୍ୟପାନ, ଗଞ୍ଜେଇ, ଚରସ, ବ୍ରାଉନ୍ସୁଗାର ଆଦିର ବହୁଳ ପ୍ରଚଳନ ସହିତ ରସାୟନିକ ସାର ଓ କୀଟନାଶକରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ଦିନଚର୍ଯ୍ୟାରେ ବିଶୃଙ୍ଖଳା ଯୋଗୁଁ ବିଭିନ୍ନ କିସମର କର୍କଟ ରୋଗ ବ୍ୟାପୁଥିବା ବୈଜ୍ଞାନିକ ଓ ଡାକ୍ତରମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଏମିତିକି କର୍କଟ ସମେତ କିଡ୍ନୀ, ଲିଭର, ଫୁସ୍ଫୁସ୍ ଓ ସ୍ନାୟୁବିକ ସଂକ୍ରମଣ ଏବଂ ହୃଦ୍ରୋଗ ବୃଦ୍ଧିର କାରଣ ପାଇଁ ନିଶା ସେବନକୁ ଦାୟୀ କରାଯାଇଛି ।

ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ମହାମାରୀ ପରିପ୍ରେକ୍ଷୀରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ୱାରୋପ କରାଯାଉଛି । ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମ ଉପରେ ପ୍ରାଥମିକତା ଦିଆଯାଇଛି । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଘାତକ ବୋଲି କହିଛି । ଧୂମ୍ରପାନ କରି ନିଜ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଉଥିବା ଲୋକେ କୋଭିଡ୍ରେ ଗୁରୁତର ଭାବେ ସଂକ୍ରମିତ ହେବା ଏବଂ ପ୍ରାଣ ଚାଲିଯିବାର ୫୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି ବୋଲି ହୁ’ର ମହାନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ଭାଇରସ୍ର ବିପଦକୁ କମ୍ କରିବା ପାଇଁ ଧୂମ୍ରପାନ ଛାଡ଼ିଦେବା ହିଁ ଶ୍ରେୟସ୍କର । ଖାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ, ଆଇସିଏମ୍ଆର୍, ଜୀବନ ବିଜ୍ଞାନ ପ୍ରତିଷ୍ଠାନ ଡାକ୍ତର ଓ ବିଶେଷଜ୍ଞମାନେ ଏକଥା ବାରମ୍ବାର କହିଆସୁଛନ୍ତି ଯେ ନିଶା ସେବନ କରୁଥିବା ଲୋକଙ୍କ କ୍ଷେତ୍ରରେ ନିକୋଟିନ୍ ଓ ଆଲକହଲ ପରିମାଣ ଅଧିକ ରହି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଛି । ଏହିସବୁ ସାମଗ୍ରୀ ସେବନ ଯୋଗୁଁ ଶ୍ୱାସନଳୀ ଓ ଫୁସ୍ଫୁସ୍ ଅତିମାତ୍ରାରେ ଦୁର୍ବଳ ରହୁଥିବାରୁ କରୋନା ଭୂତାଣୁ ସଂକ୍ରମଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେଉଛି । ତେଣୁ ଆସନ୍ତୁ ବିଶ୍ୱ ତମାଖୁ ବର୍ଜନ ଦିବସରେ ତମାଖୁ ତଥା ନିଶାସାମଗ୍ରୀ ବର୍ଜନ ପାଇଁ ଶପଥ ନେବା ଓ ଅନ୍ୟମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ।

Comments are closed.