ଅଯଥା ମାମଲା ସୁପ୍ରିମକୋର୍ଟଙ୍କୁ ଅକର୍ମଣ୍ୟ କରି ଦେଇଛି: ଜଷ୍ଟିସ୍ ଚନ୍ଦ୍ରଚୂଡ଼

0 47

ନୂଆଦିଲ୍ଲୀ, ୧ ।୬: ଅଯଥା ମାମଲା ସୁପ୍ରିମକୋର୍ଟଙ୍କୁ ଅକର୍ମଣ୍ୟ କରି ଦେଇଛି । ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଓ ଜଷ୍ଟିସ୍ ଏମ.ଆର. ଶାହଙ୍କ ବେଞ୍ଚ ମଙ୍ଗଳବାର ଏକ ଉପଭୋକ୍ତା ମାମଲାର ବିଚାର ପରିପ୍ରେକ୍ଷରେ ଏପରି ମନ୍ତବ୍ୟ ଦେଇଛନ୍ତି । କୋର୍ଟ ଏହି ଖାଉଟି ମାମଲାଟିର ଚୂଡ଼ାନ୍ତ ରାୟ ଗତମାର୍ଚ୍ଚ ମାସରେ ଘୋଷଣା କରିଥିଲେ । ତେବେ ମାମଲାକୁ ପୁଣି ନୂଆକରି କୋର୍ଟରେ ଉପସ୍ଥାପନ କରାଯାଇଥିବାରୁ ବେଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି । ମାମଲାକୁ ପୁଣି ଶୁଣାଣି ନିମନ୍ତେ ଉପସ୍ଥାପନ କରାଯିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଆବେଦନକାରୀଙ୍କ ଇଚ୍ଛା ମୂତାବକ କୋର୍ଟ ପୂର୍ବରୁ ରାୟ ପ୍ରକାଶ କରିସାରିଥିବା କହିଥିଲେ । ତେବେ ପୁଣି କାହିଁକି ଆବେଦନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ବୋଧ ହୁଏ ଆବେଦନକାରୀ ତାଙ୍କୁ ଆବଣ୍ଟିତ କରାଯାଇଥିବା ବାସଗୃହ ଲାଗି କିଛି କାଗଜପତ୍ରର ଯାଞ୍ଚ ଚାହୁଁଛନ୍ତି । ତେବେ ଏହା ଯୁକ୍ତିଯୁକ୍ତ କି ବୋଲି ପ୍ରଶ୍ନ କରିବା ସହ ଏପରି କରି ଆପଣ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରୁ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏପରି ଅବାଞ୍ଛିତ ମୋକଦ୍ଦମା କରିବା ଦ୍ୱାରା କୋର୍ଟଙ୍କ କାର୍ଯ୍ୟଦକ୍ଷତା ହ୍ରାସ କରାଯାଉଥିବାର ବେଞ୍ଚ ତାଗିଦ କରିଛନ୍ତି । ଏପରି ଅଯଥା ମାମଲା ଭିଡରେ କୋର୍ଟ ଗୁରୁତର ମାମଲା ପ୍ରତିସମୟ ଦେଇ ପାରୁ ନଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି । କୋଭିଡ-୧୯ ନେଇ ଗତ କାଲି ମୋତେ ଏକ ସୋ ମୋଟୋ ଆଦେଶ ଚୂଡାନ୍ତ କରିବାର ଥିଲା । ତେବେ ଆଜିର ଏହି ମୋକଦ୍ଦମା ଲାଗି ପ୍ରସଙ୍ଗକୁ ମୋତେ ଟାଳିବାକୁ ପଡିଥିଲା । ହେଲେ ଯେତେବେଳେ ଶୁଣାଣି ଲାଗି ଫାଇଲ ପଢିଲି ଏପରି ଏକ ମାମଲାରେ କୋର୍ଟ ରାୟ ଦେଇ ସାରିଥିବାର ସନ୍ଦେହ ହୋଇଥିଲା, ଯାହା ଆଜି କୋର୍ଟରେ ସାବ୍ୟସ୍ତ ହୋଇଛି । ଏକ ସଂସ୍ଥା ଭାବେ ଆମେ ଆମ ସମୟକୁ ଏପରି ଅଯଥା କାର୍ଯ୍ୟରେ ବ୍ୟୟ କରିବା ଉଚିତ ନୁହେଁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିବା ବେଳେ ଏହା ଯୋଗୁ କୋର୍ଟଙ୍କ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ମେ ୧ ତାରିଖ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ୬୭ ହଜାର ୮୯୮ଟି ମାମଲା ବିଚାର ଅପେକ୍ଷାରେ ପଡି ରହିଛି । ଏଥିରୁ ୪୯ ହଜାରରୁ ଅଧିକ ମାମଲା ସମ୍ପୂର୍ଣ୍ଣ ନୂଆ । ମୋଟ ଲମ୍ବିତ ମାମଲା ମଧ୍ୟରୁ ୧ ପ୍ରତିଶତରୁ କମ ମାମଲା ସାମ୍ବିଧାନିକ ପୀଠକଙ୍କ ନିମନ୍ତେ ରହିଛି ।

Leave A Reply

Your email address will not be published.