କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ୍ ରେ ଅନାଥଙ୍କ ପାଇଁ କ’ଣ କରିଛ ଜଣାଅ

62

ନୂଆଦିଲ୍ଲୀ : କୋଭିଡ ମହାମାରୀରେ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇପଡ଼ିଥିବା ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଦାୟିତ୍ୱ ଦେଇଥିବା ସୁପ୍ରିମକୋର୍ଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଏହି ଯୋଜନାର ସଂପୂର୍ଣ୍ଣ ବିବରଣୀ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି । ଏ ପ୍ରସଙ୍ଗରେ ହିତାଧିକାରୀଙ୍କ ଚିହ୍ନଟ, ଏହି ଯୋଜନା ଉପରେ ନଜର ରଖିବା ପାଇଁ ଯନ୍ତ୍ରକ କୌଶଳ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୭ରେ କରିବା ପାଇଁ ସୁପ୍ରିମକୋର୍ଟ ଆଜି ଦିନ ଧାର୍ଯ୍ୟ କରିଛନ୍ତି । ଦିଲ୍ଲୀ ଏବଂ କେରଳ ସମେତ ଅନେକ ରାଜ୍ୟ ଏଭଳି ପିଲାମାନଙ୍କ ପାଇଁ ଯୋଜନା ଘୋଷଣା କରିସାରିଛନ୍ତି । ଶନିବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏହିରି ପିଲାମାନଙ୍କର ଶିକ୍ଷାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ଏବଂ ସେମାନେ ୨୩ ବର୍ଷ ବୟସରେ ପହଞ୍ଚିବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର କର୍ପସ ପାଙଋି ପ୍ରଦାନ କରିବ ।

ଏହି ଯୋଜନା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଦ୍ୱାରା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ୧୧-୧୮ ବର୍ଷ ବୟସର ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଆଡମିଶନ ଦିଆଯିବ କିମ୍ବା ସେମାନଙ୍କ ଦେୟ ପ୍ରଦାନ କରାଯିବ । ଏଥିସହ ଏହି ପିଲାମାନଙ୍କ ନାମରେ ସ୍ଥିର ଜମା ଖୋଲାଯିବ ଏବଂ ସେମାନେ ୨୩ ବର୍ଷ ବୟସରେ ଟଙ୍କା ପାଇବେ । କୋଭିଡ୍-୧୯ ମହାମାରୀରେ ଏପ୍ରିଲ ୧ରୁ ମେ ୨୫ ମଧ୍ୟରେ ସାରାଦେଶରେ ଅତି କମ୍ରେ ୫୭୭ ପିଲା ଅନାଥ ହୋଇଯାଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ।

Comments are closed.