ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱୂର୍ଣ୍ଣ : ବାତିଲ୍ ହେଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା

69

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରାଯାଇଛି । ଦେଶର କରୋନା ସ୍ଥିତିକୁ ଦେଖି ବାତିଲ ଘୋଷଣା ହୋଇଛି । ଆଜି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଥିଲେ । ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ସମ୍ଭବ କି ନୁହେଁ ତାହା ସମୀକ୍ଷା କରିଥିଲେ । ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ଓ ସଚିବମାନେ ଯୋଗଦେଇ ମତାମତ ରଖିଥିଲେ । ସମୀକ୍ଷା ବୈଠକ ପରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ସହିତ କୌଣସି ବୁଝାମଣା ହେବନାହିଁ । ସ୍ୱାସ୍ଥ୍ୟକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱୂର୍ଣ୍ଣ । ସେମାନଙ୍କୁ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ପରୀକ୍ଷା କରାଇବା ସମ୍ଭବ ନୁହେଁ । ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଏଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ନାହିଁ ।

ସରକାରଙ୍କ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ । ଯେଉଁମାନେ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ସନ୍ତୋଷ ପ୍ରକାଶ କରିବେ ନାହିଁ ସେମାନେ ସ୍ଥିତି ସ୍ୱାଭାବିକ୍ ହେଲା ପରେ ଏହି ପରୀକ୍ଷା ପୁଣିଥରେ ଦେଇପାରିବେ । ତେବେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ବାଧ୍ୟ କରାଯିବ ନାହିଁ । ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନ କିଭଳି କରାଯିବ ସେଥିପାଇଁ ସିବିଏସ୍ଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ ।

Comments are closed.