ମହାମାରୀ ପାଇଁ ମହାଯୁଦ୍ଧ! : ଆମେରିକାକୁ ଚୀନ୍ ର ପରମାଣୁ ଯୁଦ୍ଧ ଧମକ

49

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଘନେଇଲାଣି ମହାଯୁଦ୍ଧର ଆଶଙ୍କା । ଦୁଇ ସୁପର ପାୱାର ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆମେରିକାକୁ ପରମାଣୁ ଯୁଦ୍ଧର ଧମକ ଦେଇଛି ଚୀନ୍ । କରୋନା ଭାଇରସ୍ ର ଉତ୍ପତି ସ୍ଥଳ ଖୋଜିବାକୁ ୟୁଏସ୍ ଇଣ୍ଟେଲିଜେନ୍ସିକୁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦ୍ଦେଶ ପରେ ଆମେରିକା ଉପରେ ଚୀନ୍ କ୍ଷୁବ୍ଧ । ଚୀନ୍ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ଆମେରିକାକୁ ପରମାଣୁ ଯୁଦ୍ଧର ଧମକ ଦିଆଯାଇଛି । ଏହି ପତ୍ରିକାରେ ଲେଖାଯାଇଛି ‘ଆମେରିକା ସହ ଭୟଙ୍କର ଲଢ଼େଇ ପାଇଁ ଚୀନ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ।’ ଚୀନ୍ ର ନ୍ୟୁକ୍ଲିୟର ୱାରହେଡ୍ ସଂଖ୍ୟା ବଢ଼ାଇବାକୁ ହେବ । ଆମେରିକାକୁ ଅଟକାଇବା ପାଇଁ ଆଣବିକ କାର୍ଯ୍ୟକ୍ରମକୁ ବଢ଼ାଇବା ଚୀନ୍ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବିଏଫ୍-୪୧, ଜେ-୨ ଓ ଜେ-୩ ଭଳି ଦୂରଗାମୀ କ୍ଷେପଣାସ୍ତ୍ର ହେଉଛି ଚୀନ୍ ର ଶକ୍ତି । ଏହି କ୍ଷେପଣାସ୍ତ୍ର ସଂଖ୍ୟାକୁ ଏତେ ବଢ଼ାଇ ଦିଆଯିବ ଯାହାକୁ ଦେଖି ଆମେରିକାର ଛାତି ଥରି ଉଠିବ ବୋଲି ଏହି ପତ୍ରିକାରେ ଲେଖାଯାଇଛି ।

ତେବେ ଚୀନ୍ ତୁଳନାରେ ଆମେରିକା ବହୁ ଗୁଣରେ ଶକ୍ତିଶାଳୀ । ଚୀନ୍ ର ୩୫୦ ନ୍ୟୁକ୍ଲିୟର ୱାରହେଡ୍ ଥିବାବେଳେ ଆମେରିକାର ଏହି ସଂଖ୍ୟା ୫୮୦୦ । ଏବେ ଚୀନ୍ ର ଧମକ ପରେ ମହାମାରୀ ପାଇଁ ପରମାଣୁ ଯୁଦ୍ଧମୁହାଁ ହେଉଛି ପୃଥିବୀ । ଟ୍ରମ୍ପ ପ୍ରଶାସନ ସମୟରୁ ଚାଲିଛି ଚୀନ୍-ଆମେରିକା ଶୀତଳ ଯୁଦ୍ଧ । କରୋନା ମହାମାରୀ ଆରମ୍ଭ ଦିନରୁ ଆମେରିକାର ଟାର୍ଗେଟ୍ରେ ରହିଛି ଚୀନ୍ । ଉହାନ ଲ୍ୟାବ୍ରୁ ଭାଇରସ୍ ଲିକ୍ ହୋଇଥିବା ବାରମ୍ବାର ଦୋହରାଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏବେ ଭାଇରସ୍ ସ୍ଥଳ ଖୋଜିବାକୁ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି । ଭାଇରସ୍ର ଉତ୍ପତି ସ୍ଥଳ କେଉଁଠି ତାହାକୁ ଖୋଜି ବାହାର ନକଲେ ବିଶ୍ୱକୁ ଆଉ ଦୁଇଟି ମହାମାରୀ କୋଭିଡ୍-୨୬ ଓ କୋଭିଡ-୩୨ର ସାମ୍ନା କରିବାକୁ ପଡ଼ିବ ବୋଲି ନିକଟରେ ଆମେରିକାର ଦୁଇଜଣ ବୈଜ୍ଞାନିକ ଚେତାବନୀ ଶୁଣାଇଥିଲେ । ଚୀନ୍ ଏଥିରେ ସହଯୋଗ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ । କେବଳ ଆମେରିକା ନୁହେଁ, ଚୀନ୍ ଉପରେ ସାରା ବିଶ୍ୱର ଏବେ ସନ୍ଦେହ ଦୃଷ୍ଟି । କୌଣସି ପ୍ରାଣୀଠାରୁ ମଣିଷ ଦେହକୁ କରୋନା ଭାଇରସ୍ ଆସିଥିବା ଏଯାଏ ପ୍ରମାଣ ମିଳିପାରିନାହିଁ । ତେବେ କେଉଁଠୁ ଆସିଛି ଏହି ଭାଇରସ୍ । ଚୀନ୍ରୁ ଉହାନ୍ ଲ୍ୟାବ୍ରୁ ଲିକ୍ ହୋଇନାହିଁ ତ ? ପାଞ୍ଚବର୍ଷ ତଳୁ କରୋନା ଭାଇରସ୍କୁ ବ୍ୟବହାର କରି ତୃତୀୟ ବିଶ୍ୱଯୁଦ୍ଧ ଲଢ଼େଇର ପରିକଳ୍ପନା କରିଥିଲା ଚୀନ୍ । ୨୦୧୫ରେ ଚୀନ୍ର ସାମରିକ ବୈଜ୍ଞାନିକଙ୍କ ଏହି ଆଲୋଚନା ସମ୍ବଳିତ ଦସ୍ତାବିଜ୍ ନିକଟରେ ଲିକ୍ ହୋଇଥିଲା ଯାହା ଆମେରିକା ହାତରେ ଲାଗିଥିଲା ।

Comments are closed.