ଟିକାକୁ ନେଇ ପଞ୍ଜାବ ସରକାର ଅଡୁଆରେ

0 66

ଅମୃତସର, ୫ ।୬: ଦେଶରେ ଟିକାର ଅଭାବ ରହିଛି । ଏହାକୁ ଅସ୍ତ୍ର କରି କଂଗ୍ରେସ ନେତା ଏବଂ ଦଳର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ଶାସକ ଦଳ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହାରି ଭିତରେ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ ନାଁରେ ଆସିଛି ସାଂଘାତିକ ଅଭିଯୋଗ । କେନ୍ଦ୍ର ପାଖରୁ କମ୍ ମୂଲ୍ୟରେ ଟିକା ନେଇ ଘରୋଇ ହସ୍ପିଟାଲକୁ ବେଆଇନ୍ ଭାବରେ ଅଧିକ ଦାମରେ ଟିକା ବିକ୍ରି କରି ରାଜସ୍ୱ ବଢାଇବା ଲକ୍ଷରେ ଏହି ସରକାର । ଆଉ ଘରୋଇ ହସ୍ପିଟାଲ ସେହି ଟିକାକୁ ଅଧିକ ଦାମରେ ଲୋକଙ୍କୁ ଦେଉଥିବା ଜଣାପଡ଼ିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ସରକାରଙ୍କୁ ଘେରିଛି ବିଜେପି ସମେତ ଶିରୋମଣୀ ଅକଳୀ ଦଳ । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଜୋରଦାର ବର୍ଷିଛନ୍ତି ଉଭୟ ରାହୁଲ୍ ଗାନ୍ଧୀ ଏବଂ କଂଗ୍ରେସ ଉପରେ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅନ୍ୟମାନଙ୍କୁ କରୋନା ପରିଚାଳନା ଉପରେ ଜ୍ଞାନ ବାଣ୍ଟିବା ପରିବର୍ତ୍ତେ ପ୍ରଥମେ ପଞ୍ଜାବ ଲୋକ କିଭଳି ଟିକା ପାଇବେ ଏବଂ ବେଆଇନ୍ କାମକୁ ରୋକି ହେବ ସେ ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସମଗ୍ର ପଞ୍ଜାବ କରୋନାରେ ଆକ୍ରାନ୍ତ । ଏଠାରେ ଗାଁରେ ଅଧିକ ସଂକ୍ରମିତ ଏବେ ଚିହ୍ନଟ ହେଉଛନ୍ତି ସହର ତୁଳନାରେ । କିନ୍ତୁ ରାଜ୍ୟ ସରକାର ଟିକାକରଣ କରି ଲାଭ ରଖିବା ଉଦ୍ଦେଶ୍ୟରେ ବେଆଇନ କାମକୁ ପ୍ରୋତ୍ସାହିତ କରୁଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ତିନି ଚାରି ଦିନ ହେବ ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଦିଲ୍ଲୀରେ ପଞ୍ଜାବ ନେତା । ଏଭଳି ସ୍ଥିତିରେ ପଞ୍ଜାବର ଲୋକଙ୍କୁ ଅଣଦେଖା କରିବା କଂଗ୍ରେସ ଦଳର ସବୁଠାରୁ ବଡ ପାପ । ଜାଭଡେକର କହିଛନ୍ତି ଯେ ପଞ୍ଜାବ ସରକାରଙ୍କୁ ୧.୪୦ ଲକ୍ଷରୁ ଅଧିକ ଡୋଜ୍ କୋଭାକ୍ସିନ୍ ୪୦୦ ଟଙ୍କାରେ ଯୋଗାଇ ଦିଆଯାଇଛି । ଯାହାକୁ ସେଠିକାର କଂଗ୍ରେସ ସରକାର ୨୦ଟି ଘରୋଇ ହସ୍ପିଟାଲକୁ ୧୦୦୦ ଟଙ୍କାରେ ବିକ୍ରି କରିଛନ୍ତି । ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ୨୨ କୋଟି ଡୋଜ କୋଭିଡ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି । କିନ୍ତୁ କଂଗ୍ରେସ ସରକାର ଏଥିରୁ କେମିତି ଦୁଇ ପଇସା ମିଳିପାରିବ ଚିନ୍ତାରେ ନିଜର ଆଭିମୁଖ୍ୟ ବଜାଇ ରଖିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଟିକା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଉପରେ ପ୍ରଶ୍ନ କରିଥିଲେ । ଯେତେବେଳେ କେନ୍ଦ୍ର ରାଜ୍ୟକୁ ମାଗଣା ଟିକା ଦେଉଛି ସେତେବେଳେ ଜଣେ ବ୍ୟକ୍ତି କାହିଁକି ଦୁଇଟି ଡୋଜ ପାଇଁ ୩,୧୨୦ ରୁ ଅଧିକ ଟଙ୍କା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ସରକାର ଘରୋଇ ଡାକ୍ତରଖାନା ସହ ହାତ ମିଳାଉଛନ୍ତି ।

Leave A Reply

Your email address will not be published.