ଟ୍ୱିଟରକୁ ସରକାରଙ୍କ କଡ଼ା ଚେତାବନୀ

0 71

ନୂଆଦିଲ୍ଲୀ, ୫ ।୬: ଦେଶର ନୂଆ ଡିଜିଟାଲ ଆଇନକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି । ଆଜି କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ କରି କହିଛନ୍ତି, ଟ୍ୱିଟର ତୁରନ୍ତ ନୂଆ ଡିଜିଟାଲ ଅନୁଯାୟୀ ଭାରତରେ ଅଭିଯୋଗ ଶୁଣିବା ଓ ସମାଧାନ କରିବା ପାଇଁ ଅଧିକାରୀ ନିଯୁକ୍ତ କରୁ । ଏହା ଶେଷ ନୋଟିସ । ଯଦି ଏହା ପରେ ବି ଟ୍ୱିଟର ନିୟମକୁ ପାଳନ ନ କରିବ, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଭାରତ ସରକାର ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି, ଟ୍ୱିଟର ଆଇଏନସି.କୁ ନିୟମ ପାଳନ କରିବା ପାଇଁ ଶେଷ ନୋଟିସ ପଠାଯାଉଛି । ଯଦି ଟ୍ୱିଟର ନୂଆ ଡିଜିଟାଲ ନିୟମକୁ ପାଳନ ନ କରିବ, ତା’ହେଲେ ଆଇଟି ଆକ୍ଟ ୨୦୦୦ର ସେକସନ ୭୯ରେ ମିଳୁଥିବା ସୁବିଧାକୁ ପ୍ରତ୍ୟାହାର କରିନିଆଯିବ । ଏହାପରେ ଆଇଟି ଆକ୍ଟ ଓ ଭାରତୀୟ ଆଇନ ଅନୁଯାୟୀ ଟ୍ୱିଟରକୁ ନିୟମ ନ ମାନିବାର ପରିଣାମ ଭୋଗିବାକୁ ପଡ଼ିବ । ମେ’ ୨୬ରୁ ଭାରତ ସରକାର ନୂଆ ଆଇଟି ନିୟମ ଲାଗୁ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଟ୍ୱିଟର ୩ ମାସ ସମୟ ମାଗିଥିଲା । ଟ୍ୱିଟର ଏହା ଉପରେ କହିଛି ଯେ କମ୍ପାନୀ ସବୁବେଳେ ଭାରତରେ ପ୍ରଚଳିତ ନିୟମକୁ ପାଳନ କରୁଛି । ଆଗକୁ ମଧ୍ୟ ସଂସ୍ଥା ଏହାର ପାଳନ କରିବ । ଭାରତ ସରକାରଙ୍କ ସହ ନୂଆ ନିୟମ ଉପରେ ଆଲୋଚନା ଚାଲିଛି । ନୂଆ କଣ୍ଟେଣ୍ଟ ରେଗୁଲେସନ ନିୟମ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଆଇଟି ମନ୍ତ୍ରଣାଳୟ ଆମକୁ ୩ ମାସ ସମୟ ଦିଅନ୍ତୁ ବୋଲି ଟ୍ୱିଟର କହିଥିଲା । ହେଲେ ଭାରତ ସରକାର ବାରମ୍ବାର ଟ୍ୱିଟରକୁ ନୋଟିସ କରି ନୂଆ ନିୟମ ପାଳନ କରିବାକୁ କହିବାରେ ଲାଗିଛନ୍ତି । ନୂଆ ନିୟମ ଅନୁସାରେ, ସୋଶାଲ ମିଡିଆ ସଂସ୍ଥା ଗୁଡ଼ିକ ଲୋକଙ୍କ ଅଭିଯୋଗ ଶୁଣିବାକୁ ଭାରତରେ ଅଧିକାରୀ ନିଯୁକ୍ତ କରିବେ ।

Leave A Reply

Your email address will not be published.