ଶ୍ରୀଲଙ୍କାରେ ବର୍ଷା ଓ ବନ୍ୟା ତାଣ୍ଡବ:୧୪ ମୃତ

0 60

କଲମ୍ବୋ, ୬ ।୬: ଗତ ଗୁରୁବାରଠାରୁ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ମୂଷଳଧାର ବର୍ଷା ଲାଗି ରହିଛି । ଫଳରେ ରାଜଧାନୀ କଲମ୍ବୋ ସମେତ ୧୦ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଛି । ବନ୍ୟା ଓ ଭୂ-ସ୍ଖଳନରେ ଦେଶରେ ଏପର୍ଯ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରବିବାର ସୂଚନା ଦେଇଛନ୍ତି । ଦେଶରେ ଗତ ଗୁରୁବାର ଠାରୁ ପ୍ରତିକୂଳ ପାଗ ଲାଗି ରହିଛି । ଫଳରେ ଜନବସତି ଓ କୃଷି କ୍ଷେତ୍ରରେ ପାଣି ଭରିଯାଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନା ଗମନ ପ୍ରଭାବିତ ହୋଇଛି । କେଗାଲେରେ ଏକ ଘର ଉପରେ ମାଟି ଅତଡା ଧସିବା ଯୋଗୁ ପରିବାରର ୪ ଜଣଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ଭୀଷଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୪୫ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ଷା ଓ ବନ୍ୟାରେ ଅନୁନ୍ୟ ୮୦୦ ଘର ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି । ୪ ହଜାର ୩ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଭାରତ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପରଠାରୁ ଦ୍ୱୀପ ଦେଶରେ ପାଣିପାଗ ବଦଳିଛି । ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.