ପରମବୀରଙ୍କ ଆବେଦନ ସୁପ୍ରିମକୋର୍ଟରେ କାଟ୍

0 68

ନୂଆଦିଲ୍ଲୀ, ୧୧ ।୬: ମୋ ବିରୋଧରେ ମହାରାଷ୍ଟ୍ର ସରକାର ଯେଉଁ ତଦନ୍ତ କରୁଛନ୍ତି ଏହା ବାହାର ରାଜ୍ୟର କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ହେବା ଦରକାର । ଏଭଳି କହି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ବିବାଦୀୟ ଆଇପିଏସ ଅଫିସର ପରମବୀର ସିଂହ । କୋର୍ଟ ଏହି ଆବେଦନକୁ ଏବେ ଖାରଜ କରି ଦେଇଛନ୍ତି । ଯାହାକି ପରମବୀରଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହୋଇଛି । କାରଣ ଏହି ଆବେଦନକୁ ପରମବୀର ଆଉ କୌଣସି ସ୍ଥାନରେ ଚ୍ୟାଲେଞ୍ଜ କରିପାରିବେନି କି ମହାରାଷ୍ଟ୍ର ସରକାର ଯେଉଁ ତଦନ୍ତ କରୁଛନ୍ତି ତାକୁ ରୋକିପାରିବେନି । ପରମବୀର ଥାନେ ଏବଂ ମୁମ୍ୱାଇର ପୁଲିସ କମିଶନର ପଦବୀରେ ଥିବା ବେଳେ ଅନେକ ଲୋକଙ୍କୁ ଗିରଫଦାରୀରୁ ବର୍ତ୍ତିବାକୁ ହେଲେ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିଲେ । ଏମିତିକି ବିଭିନ୍ନ ମାଧ୍ୟମରେ ପରମବୀର ଚାନ୍ଦା ମଧ୍ୟ ଆଦାୟ କରିଥିଲେ ବୋଲି ସେହି ବ୍ୟକ୍ତିମାନେ ଏବେ ମହାରାଷ୍ଟ୍ରର ସିଆଇଡି ପାଖରେ ପ୍ରମାଣ ସହିତ ନିଜ ନିଜର ବୟାନ ରେକର୍ଡ କରାଇଛନ୍ତି । ତେବେ ଏଭଳି ଅଭିଯୋଗକୁ ପରମବୀର କିନ୍ତୁ ଉଦ୍ଦେଶ୍ୟମୂଳକ କହି ଖାରଜ କରି ଆସୁଛନ୍ତି । ଏହାସହିତ ପରମବୀର ସିଂହ ପୁଲିସ କମିଶନର ପଦବୀରେ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି ସହିତ ବେଆଇନ କାମରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ରହିଛି । ମହାରାଷ୍ଟ୍ର ସରକାର ଏବେ ପରମବୀରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରାଉଛନ୍ତି । ଯାହାକି ପରମବୀରଙ୍କ ପାଇଁ ଅଡୁଆ ହୋଇଛି । ସୁପ୍ରିମକୋର୍ଟ ପରମବୀରଙ୍କୁ କହିଛନ୍ତି, ଆପଣ ୩୦ ବର୍ଷ ହେବ ଗୋଟିଏ ରାଜ୍ୟରେ ପୁଲିସ ଅଧିକାରୀ ଭାବରେ କାମ କରୁଛନ୍ତି । ଏଭଳି ସ୍ଥିତିରେ ନିଜ ବିଭାଗର ଅଧିକାରୀଙ୍କୁ ସନ୍ଦେହ କରୁଛନ୍ତି । ଏଭଳି ସନ୍ଦେହ କରିବା ଠିକ୍ ନୁହେଁ । ଆପଣ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ହେଲେ ନିଜ ସହଯୋଗୀ ଏବଂ ପୁଲିସ ଫୋର୍ସ ଉପରେ ବିଶ୍ୱାସ ନକରିବା ଆଶ୍ଚର୍ଯ୍ୟ କରୁଛି । ସୁପ୍ରିମକୋର୍ଟର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ରାମସୁବ୍ରମଣ୍ୟମ ଏହି ମାମଲାର ଶୁଣାଣି କରିଛନ୍ତି । କୋର୍ଟ ପରମବୀରଙ୍କ ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କିନ୍ତୁ ପରମବୀରଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଛି । କାରଣ ମହାରାଷ୍ଟ୍ର ସରକାର ଜୁନ୍ ୧୫ ଯାଏ ଏକ ଏସସି/ଏସଟି ମାମଲାରେ ପରମବୀରଙ୍କୁ ଗିରଫ କରାଯିବନି ବୋଲି ମହାରାଷ୍ଟ୍ର ହାଇକୋର୍ଟରେ କହିଥିଲେ । ଏବେ ଏହି ତାରିଖର ଅବଧି ଶେଷ ହେବାକୁ ଯାଉଛି । ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିେସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏପିଆଇ ସଚିନ ବାଜେ ମାମଲାରେ ପରମବୀର ସିଂହ ଫଶିଯାଇଛନ୍ତି । ଏହାପରେ ରାଜ୍ୟ ସରକାର ପରମବୀରଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ବିଦା କରି ଦେଇଥିଲେ । ଏହାପରେ ପରମବୀର ତକ୍ରାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପୁଲିସ ଅଧିକାରୀଙ୍କ ଜରିଆରେ ମାସକୁ ୧୦୦ କୋଟି ଚାନ୍ଦା ଆଦାୟ କରନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହିତ ଦେଶମୁଖ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପରେ ମହାରାଷ୍ଟ୍ର ସରକାର ପରମବୀରଙ୍କ ନାଁରେ ଥିବା ଅଭିଯୋଗର ତଦନ୍ତ କରାଉଛନ୍ତି ।

Leave A Reply

Your email address will not be published.