ବିଜେପିର କେହି ନାହିଁ ଯିଏ ମୋ ସହ କଥା ହେବା ଲାଗି ସାହସ କରିବେ

0 71

ଜୟପୁର, ୧୧ ।୬: ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ ଶୁକ୍ରବାର ପାର୍ଟିରେ ଯୋଗ ଦେବା ଲାଗି ସଚ୍ଚିନ ପାଇଲଟଙ୍କ ସଙ୍ଗେ କଥା ହୋଇଥିବା କହିଛନ୍ତି । ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ କଂଗ୍ରେସରେ ଖୁସି ନଥିବାର ଅନେକ ସମୟରେ ଚର୍ଚ୍ଚା ହେଉଛି । ଏଥିରେ ରୀତା ବହୁଗୁଣା ଯୋଶୀଙ୍କ ଦାବିର ଜବାବ ଦେଇଛନ୍ତି ସଚ୍ଚିନ ପାଇଲଟ । ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୟପୁରରେ ଆୟୋଜିତ ବିକ୍ଷୋଭରେ ପାଇଲଟ ସେ ହୁଏତ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥାଇପାରନ୍ତି ବୋଲି କହିଛନ୍ତି । ପାଇଲଟ କହିଛନ୍ତି ଯେ କେବଳ ରୀତା ବହୁଗୁଣା ଯୋଶୀ ନୁହନ୍ତି ବିଜେପିରେ ଏପରି କେହି ନାହିଁ ଯିଏ ମୋ ସହ କଥା ହେବା ଲାଗି ସାହସ କରନ୍ତି । ତେବେ ଗତ ଜୁଲାଇ ମାସରେ ପାଇଲଟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଦେଇଥିଲେ । ଯେଉଁଥିରେ ହୁଏତ ରାଜ୍ୟରେ ଗେହଲୋତ ସରକାରଙ୍କ ପତନ ହୋଇଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ଦୀର୍ଘ ମାସାଧିକ କାଳ ଜାରି ରାଜନୈତିକ ଗତିରୋଧ ପରେ କଂଗ୍ରେସ ହାଇକମାଣ୍ଡ ମାମଲାରେ ଦଖଲ ଦେବା ସହ ସମସ୍ୟାର ସମାଧାନ ଲାଗି କମିଟି ଗଠନ ପ୍ରତିଶ୍ରୁତି ଦେବା ପରେ ପୁଣି ପରିସ୍ଥିତି ସ୍ୱଭାବିକ ହୋଇଥିଲା । ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବେଳେ ପ୍ରସଙ୍ଗରେ କମିଟି ମଧ୍ୟ କିଛି କରିନାହାନ୍ତି । ତେବେ ଶୁକ୍ରବାର ଦେଶରେ ତୈଳମୂଲ୍ୟ ବୃଦ୍ଧିପ୍ରତିବାଦରେ ରାଜସ୍ଥାନ କଂଗ୍ରେସ ଆହ୍ୱାନରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିରେ ପାଇଲଟ ସାଙ୍ଗାନର ଅଞ୍ଚଳର ପେଟ୍ରୋ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମୁଦ୍ରାସ୍ପୀତି ଓ ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରେ ଦେଶରେ ଆର୍ଥିକ ଶିଥିଳତା, ମୁଦ୍ରାସ୍ପିତି ଓ ବେରୋଜଗାର ବଢିଚାଲିଛି । ହେଲେ ସରକାର କୌଣସି ଗୋଟିଏ ବି ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

Leave A Reply

Your email address will not be published.