ମମତାଙ୍କ ହାତ ଧରିଲେ ମୁକୁଲ

0 62

କୋଲକାତା ୧୧ ।୦୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହରିବା ପରେ ବିଜେପିକୁ ବହୁତ ବଡ ଝଟକା ଲାଗିଛି । କୃଷ୍ଣାନଗର ଦକ୍ଷିଣରୁ ବିଧାୟକ ମୁକୁଲ ରୟ ଏବେ ପୁଣି ଥରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଶୁକ୍ରବାର ଅପରାହ୍ନରେ ମୁକୁଲ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ପାର୍ଟି ମୁଖ୍ୟାଳୟରେ ଦଳ ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅନ୍ୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହାପରେ ତାଙ୍କର ଗୃହ ପ୍ରତ୍ୟାବର୍ତ୍ତନ ଘଟିଛି । ମୁକୁଲ ରାୟ ଦଳ ଛାଡିବା ବିଜେପି ପାଇଁ ବହୁତ ବଡ କ୍ଷତି ବୋଲି କୁହାଯାଉଛି । ୨୦୧୭ ପରେ ଟିଏମସିର ବଡ ବଡ ନେତାଙ୍କୁ ବିଜେପିରେ ସାମିଲ କରାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏବେ ମୁକୁଲଙ୍କ ଗୃହ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ନିକଟତର ଏବଂ ସମର୍ଥକ ମଧ୍ୟ ଟିଏମସିକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । କୁହାଯାଉଥିଲା ଯେ ମୁକୁଲ ରୟ ଦୀର୍ଘଦିନରୁ ନିଜକୁ ବିଜେପିରେ ଉପେକ୍ଷିତ ଅନୁଭବ କରୁଥିଲେ । ଚଳିତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କୃଷ୍ଣାନଗର ଦକ୍ଷିଣ ନିର୍ବାଚନୀ ମଣ୍ଡଳୀରୁ ଜିତିବା ପରେ ମୁକୁଲ ରୟଙ୍କ ଟିଏମସିକୁ ଫେରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହାର କାରଣ ମୁକୁଲ ରୟଙ୍କୁ ବିଧାନସଭା ବିରୋଧ ଦଳ ନେତା କରାଯାଇନଥିଲା । ସେ ଚାହୁଁଥିଲେ ପାର୍ଟି ତାଙ୍କୁ ଏହି ଦାୟିତ୍ୱ ଦେଉ । କିନ୍ତୁ ଶୁଭେନ୍ଦୁ ଅଧିକାରୀ ଟିଏମସିରେ ମିଶିବା ପରେ ମୁକୁଲଙ୍କୁ କଣଠେସା କରାଯାଇଥିବା କୁହାଯାଏ । ପୁଣି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରାଯିବା ପରେ ମୁକୁଲ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହି ସମୟରେ ମୁକୁଲ ରୟ ଟିଏମସିକୁ ଫେରିବା ଆଲୋଚନାକୁ ଖାରଜ କରିଥିଲେ । ସେ ଖୋଦ୍ ନିଜକୁ ବିଜେପିର ସିପାହୀ ଦର୍ଶାଇ ଟ୍ୱିଟ୍ କରିଥିଲେ ଯେ, “ବିଜେପି ସିପାହୀ ଭାବେ ରାଜ୍ୟରେ ଗଣତନ୍ତ୍ର ସ୍ଥାପିତ କରିବା ପାଇଁ ମୋର ଲଢେଇ ଜାରି ରହିବ’ । ମୁଁ ସମସ୍ତଙ୍କୁ ଅପିଲ୍ କରୁଛି ଯେ, ଲୋକେ ଏମିତି ଅପପ୍ରଚାର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ମୁଁ ନିଜର ରାଜନୈତିକ ମାର୍ଗକୁ ନେଇ ସଂକଳ୍ପିତ । ଗତଦିନରେ କୋଲକାତାରେ ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ପକ୍ଷରୁ ଆହୂତ ବୈଠକରେ ମଧ୍ୟ ମୁକୁଲ ଅନୁପସ୍ଥିତ ଥିଲେ । କୁହାଯାଏ ଯେ ବୈଠକ ବିଷୟରେ ମୁକୁଲଙ୍କୁ ଶେଷ ସମୟରେ ସୂଚନା ଦିଆଯାଇଥିଲା । ଅନ୍ୟପଟେ ବିଜେପି ପକ୍ଷରୁ କୁହାଯାଇଥିଲା କୋଭିଡ୍ ସଂକ୍ରମଣ କାରଣରୁ ମୁକୁଲ ରୟ ଆଇସୋଲେସନରେ ଅଛନ୍ତି । ସେଥିପାଇଁ ବୈଠକରେ ଯୋଗ ଦେଇ ନାହାନ୍ତି । ମୁକୁଲ ରୟ ସର୍ବପ୍ରଥମେ ଟିଏମସି ଛାଡିଥିଲେ । ସେ ୨୦୧୭ରେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ବଡ ସଂଖ୍ୟାରେ ଟିଏମସି ନେତାଙ୍କୁ ସେ ବିଜେପିରେ ସାମିଲ କରାଇଥିଲେ । ମୁକୁଲ ରୟ ଟିଏମସିରେ ଦ୍ୱିତୀୟ ନମ୍ବରର ନେତା ଥିଲେ । ସେ ୟୁପିଏ ୨ ସରକାରରେ ରେଳ ମନ୍ତ୍ରୀ ଥିଲେ । ଏହା ବ୍ୟତୀତ ନାରଦା ଏବଂ ସାରଦା ଦୁର୍ନୀତିରେ ତାଙ୍କ ନାମ ସାମ୍ନାକୁ ଆସିଥିଲେ ।

Leave A Reply

Your email address will not be published.