କରୋନାର ଛାଟ କାହାକୁ ଛାଡିନି …. ୧୨ ପରିବାରକୁ ରୋଜଗାର ଦେଇଥିବା ୬ଟି ବସର ମାଲିକ, ବିକୁଛନ୍ତି ଫଳ, ପରିବା

70

କନ୍ଧମାଳ : ଗତ ପ୍ରାୟ ଦୁଇ ବର୍ଷ ହେଲା କରୋନାର ମାଡ କାହାରିକୁ ଛାଡିନାହିଁ । ଗରିବଗୁରୁବା ଠାରୁ ଆରମ୍ଭ କରି ଧନି ଶ୍ରେଣୀର ବ୍ୟକ୍ତି ମାନଙ୍କୁ ମଧ୍ୟ ଏହାର ପ୍ରହାର ସହିବାକୁ ପଡିଛି । କରୋନାର ପ୍ରହାର ଯୋଗୁଁ ଅନେକ ଲୋକଙ୍କ ଜୀବନ ଯିବା ସହିତ ଅନେକଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । କିଛି ଲୋକ ସେମାନଙ୍କର ରୋଜଗାର ଏବଂ ଚାକିରି ମଧ୍ୟ ହରାଇଛନ୍ତି । ଗୋଟିଏ ପଟରେ କରୋନାର ଭୟ ଅନ୍ୟପକ୍ଷରେ ପେଟପାଟଣାର ଚିନ୍ତା ଯୋଗୁଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇନ୍ତି ।

ସେହିଭଳି ଏକ ଘଟଣା ଘଟିଛି ଫୁଲବାଣୀ ସହର ମାଷ୍ଟ୍ରପଡାରେ ରହୁଥିବା ଜଣେ ବ୍ୟକ୍ତି ପଂଚାନନ ସାହୁ (୪୨)ଙ୍କ ଜୀବନରେ । ପଂଚାନନ କରୋନା ସଂକ୍ରମଣ ପୂର୍ବରୁ ୬ଟି ଯାତ୍ରୀବାହୀ ବସର ମାଲିକ ହୋଇ ଭଲ ତରୋଜଗାର କରି ଆସୁଥିଲେ । ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ତାଙ୍କ ଗାଡି ଗୁଡିକ ଜରିଆରେ ସେ ପ୍ରାୟ ୧୨ ରୁ ଅଧିକ ପରିବାରକୁ ରୋଜଗାର ମଧ୍ୟ ଯୋଗାଉଥିଲେ । ପଂଚାନନ ଜଣେ ପରିଶ୍ରମି ବ୍ୟକ୍ତି ସେ ପ୍ରଥମେ ବସର ହେଲପର ଭାବରେ ନିଜର ଜୀବିକା ଆରମ୍ଭ କରି କିଛିଦିନ ପରେ ଜଣେ କଣ୍ଡକ୍ଟର  ଭାବରେ କାର୍ଯ୍ୟ କରିଥିଲେ । କିଛି ପଇସା ରଖି  ବ୍ୟାଙ୍କରୁ  ଋଣ ଆଣି ପ୍ରଥମେ ଗୋଟିଏ ମିନିବସ କିଣିଥିଲେ । ସେଥିରେ ଯାତ୍ରୀ ନେବା ଆଣିବା କରି ଧିରେଧିରେ ୬ଟି ବସର ମାଲିକ ହୋଇପାରିଥିଲେ  ପଂଚାନନ । ସେଥରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରିବାସହିତ ତାଙ୍କ ଗାଡିରେ କାମ କରୁଥିବା କର୍ମଚାରୀ ମାନଙ୍କୁ ମଧ୍ୟ ଭଲ ରୋଜଗାର ଯୋଗାଇ ଚାଲିଥିଲେ । ହେଲେ ଗତ ଦୁଇ ବର୍ଷ ହେଲା କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଏବଂ ସଟଡାଉନ ଘୋଷଣା ଫଳରେ ଗାଡି ମଟର ସବୁ ବନ୍ଦ ହୋଇଯାଇଛି । ସେଥିପାଇଁ ବର୍ତମାନ ତାଙ୍କ ପକ୍ଷରେ ତାଙ୍କର ଗାଡି ସବୁର ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ନାହିଁ ଏବଂ ଗାଡିର କର୍ମଚାରୀ ମାନଙ୍କୁ ମଧ୍ୟ ଦରମା ଦେବାକୁ ରୋଜଗାର ମଧ୍ୟ ନାହିଁ ।

ଅନ୍ୟପକ୍ଷରେ ଗାଡିର ଟ୍ୟାକ୍ସ ଓ ମେଣ୍ଟେନାନ୍ସ ପାଇଁ ମଧ୍ୟ ସେ ଅକ୍ଷମ କେବଳ ସେତିକି ନୁହେଁ ତାଙ୍କ ପରିବାର ପୋଷଣ ପାଇଁ ମଧ୍ୟ ପଇସା ଅଭାବରୁ ସେ ବର୍ତମାନ ଆପଣେଇଛନ୍ତି ଫଳ ପରିବା ଭଳି ବ୍ୟବସାୟର ପନ୍ଥା । ସ୍ଥାନୀୟ ବ୍ଳକ ଛକଠାରେ ସେ ବର୍ତମାନ ଆଳୁ, ବାଇଗଣ, ଭେଣ୍ଡି, ଟମାଟ, ଜହ୍ନି ଏବଂ ସେଓ ଅଙ୍ଗୁର ଭଳି ନାନା ରକମର ଫଳ ପରିବା ବିକ୍ରି କରୁଛନ୍ତି । ତାଙ୍କୁ ଏହି କାର୍ଯ୍ୟରେ ସହାୟତା କରୁଛନ୍ତି ତାଙ୍କ ପତ୍ନୀ ମଧୁସ୍ମିତା । ସେ କହିଛନ୍ତି ଜୀବନ ଜିବିକା ପାଇଁ କୌଣସି କାର୍ଯ୍ୟ କରିବାରେ ଲଜ୍ୟା କରିବା ଉଚିତ ନୁହେଁ । ଏକ ପକ୍ଷରେ ପଂଚାନନଙ୍କ ଶରୀର ଅସୁସ୍ଥ ଥିବାବେଳେ କରୋନା କାଳରେ ରୋଜଗାର ବନ୍ଦ ହେବା ପଳରେ ତାଙ୍କ ସ୍ୱାମୀଙ୍କୁ ଏଭଳି ବ୍ୟବସାୟ ଆପଣେଇବାକୁ ପଡିଛି ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ । ତାଙ୍କର ପରିବା ଗ୍ରାହକ ମାନେ ମଧ୍ୟ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କରୋନା କାଳରେ ରୋଜଗାର ହରାଇଥିବା ଲୋକଙ୍କ ପାଇଁ ପଂଚାନନ ଜଣେ ଉଦ୍ଧାହରଣ ସାଜିଛନ୍ତି ବୋଲି କହିଛନ୍ତି । ଯେଉଁମାନେ ତାଙ୍କୁ ପୁର୍ବରୁ ଜାଣିଛନ୍ତି ସେମାନେ ତାଙ୍କର ଏହି ପଦକ୍ଷେପ ପାଇଁ ତାଙ୍କର ପ୍ରଶଂସା କରିବା ସହିତ ତାଙ୍କୁ ଏଥିରେ ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । 

Comments are closed.