ଘରୋଇ ହସ୍ପିଟାଲରେ ଗଦା ଗଦା ହୋଇପଡ଼ିଛି ଟିକାର ଡୋଜ୍

0 43

ନୂଆଦିଲ୍ଲୀ, ୧୨ ।୬ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି । ବିଭିତ୍ତ ରାଜ୍ୟରେ ଟିକାର ଅଭାବ ଯୋଗୁ ଠିକ୍ ଭାବେ ଲୋକଙ୍କ ଟିକାକରଣ ହୋଇପାରୁନି । କିନ୍ତୁ ଦେଶର ବିଭିନ୍ନ ଘରୋଇ ହସ୍ପିଟାଲରେ ଟିକାର ଗଦାଗଦା ଡୋଜ୍ ଅବ୍ୟବହୃତ ଭାବେ ପଡ଼ି ରହିଛି । ଘରୋଇ ହସ୍ପିଟାଲଗୁଡ଼ିକ ମେ’ ମାସରେ ପାଇଥିବା ଟିକାର ଡୋଜ୍ଗୁଡ଼ିକ ମଧ୍ୟରୁ କେବଳ ୧୭% ବ୍ୟବହାର କରିଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି । ଜୁନ୍ ୪ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ପ୍ରେସ ରିଲିଜ ଅନୁଯାୟୀ, ମେ’ ମାସରେ ସମଗ୍ର ଦେଶରେ ମୋଟ ୭.୪ କୋଟି ଟିକାର ଡୋଜ୍ ବ୍ୟବହାର ପାଇଁ ଉପଲବ୍ଧ ହୋଇଥିଲା । ଏହା ମଧ୍ୟରୁ ୧.୮୫ କୋଟି ଟିକାର ଡୋଜ୍ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରହିଥିଲା । ବିଭିନ୍ନ ହସ୍ପିଟାଲ ପକ୍ଷରୁ ଏହି ୧.୮୫ କୋଟି ଡୋଜ୍ ମଧ୍ୟରୁ ୧.୨୯ କୋଟି ଟିକା କିଣିଥିଲେ । କିନ୍ତୁ ସେମାନେ ନେଇଥିବା ୧.୨୯ କୋଟିର ଡୋଜ୍ ମଧ୍ୟରୁ କେବଳ ୨୨ ଲକ୍ଷ ଟିକାର ଡୋଜ୍ ଲୋକଙ୍କୁ ଦିଆଯାଇଛି । ବାକି ଡୋଜ୍ଗୁଡ଼ିକ ଏବେ ବି ହସ୍ପିଟାଲଗୁଡ଼ିକ ପାଖରେ ରହିଛି । ହସ୍ପିଟାଲ ଗୁଡ଼ିକ ପାଖରେ ଟିକା ରହିଥିଲେ ହେଁ ଅଧିକ ଦାମ ଯୋଗୁ ଲୋକମାନେ ମାଗଣାରେ ଟିକା ନେବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଘରୋଇ ହସ୍ପିଟାଲରେ ଟିକାର ଡୋଜ୍ ପଡ଼ି ରହିଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଅନ୍ୟପକ୍ଷରେ ମୋଟ ଟିକାର ୨୫% ଘରୋଇ ହସ୍ପିଟାଲକୁ ମିଳିଥିବା ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି, ମୋଟ ଟିକାର ମାତ୍ର ୭.୫% ଡୋଜ୍ ଘରୋଇ ହସ୍ପିଟାଲଗୁଡ଼ିକ ପାଇଛନ୍ତି । ମିଡିଆରେ ୨୫% ଡୋଜ୍ ସମ୍ପର୍କରେ ପ୍ରକାଶ ପାଇଥିବା ଖବରରେ କୌଣସି ସତ୍ୟତା ନାହିଁ । ସୂଚନାଯୋଗ୍ୟ ଆସନ୍ତା ୨୧ ତାରିଖରୁ ଦେଶର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । ଟିକା ଉତ୍ପାଦନକାରୀ କମ୍ପାନୀ ଠାରୁ କେନ୍ଦ୍ର ସରକାର ୭୫% ଟିକା କିଣିବେ ଓ ଏହାକୁ ମାଗଣାରେ ରାଜ୍ୟଗୁଡ଼ିକ ପାଖକୁ ପଠାଇବେ । ବାକି ୨୫% ଘରୋଇ ହସ୍ପିଟାଲଗୁଡ଼ିକ କିଣି ଲୋକଙ୍କ ଟିକାକରଣ କରିପାରିବେ । କେଉଁ ଟିକାର ଡୋଜ ପିଛା ମୂଲ୍ୟ କେତେ ହେବ ସେକଥା ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିସାରିଛି । ଘରୋଇ ହସ୍ପିଟାଲ ଗୁଡ଼ିକରେ କୋଭିସିଲ୍ଡ ଟିକାର ଡୋଜ୍ ପିଛା ଦାମ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟନିକ ଭିର ଦାମ ୧୧୪୫ ଓ କୋଭାକ୍ସିନ ଟିକାର ଦାମ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.