ବିନା ଭକ୍ତରେ ବି ମହାସ୍ନାନ

70

ପୁରୀ : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ କରିବେ ମହାପ୍ରଭୁ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସନ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ନାନଯାତ୍ରାରେ କରୋନା ସଂକ୍ରମିତ ହୋଇନଥିବା ପାଳିଆ ସେବକମାନେ ସାମିଲ୍ ହେବେ । ଚଳିତମାସ ୨୪ ତାରିଖରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ନୀତିନିର୍ଘଣ୍ଟ ମଧ୍ୟ ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ଭୋର ୪ଟାରେ ଶେଷ ହେବ । ସକାଳ ସୁଦ୍ଧା ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ । ସକାଳ ୯ରୁ ୧୦ଟା ମଧ୍ୟରେ ଶ୍ରୀଜୀଉଙ୍କ ସ୍ନାନନୀତି ଅନୁଷ୍ଠିତ ହେବ ।

୧୦୮ ଗଡ଼ୁ ସୁବାଷିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ । ସ୍ନାନବେଦୀ ଉପରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହଦେବ ଛେରାପହଁରା କରିବେ । ପୂର୍ବାହ୍ନ ୧୧ରୁ ୧୨ଟା ମଧ୍ୟରେ ଶ୍ରୀଜୀଉଙ୍କ ହାତୀବେଶ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରେ ମହାପ୍ରଭୁ ବାହୁଡ଼ା ପହଣ୍ଡି କରିବେ । ରାତି ୭ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଅଣସର ପିଣ୍ଡିରେ ଅଣସର ବିଧି ଆରମ୍ଭ ହେବ । ଏଥି ।ଇଁ ସେବାୟତଙ୍କ ଆରଟି ପିସିଆର ପରୀକ୍ଷା କରାଯିବ । ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ପ୍ରଶାସନ । କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମାର ୪୮ଘଣ୍ଟା ପୂର୍ବରୁ ପାଳିଆ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ସ୍ନାନଯାତ୍ରା ଦିନ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଚଳିତବର୍ଷ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ । ସେବାୟତ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ରଥଟଣା ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Comments are closed.