ଘନୀଭୂତ ହେଲା ଲଘୁଚାପ: ନେଇପାରେ ବାତ୍ୟାର ରୂପ

0 67

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ଯାହା ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ବଳୟ ବାତ୍ୟାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାରଣ ଏହା ଧୀରେ ଧୀରେ ଘନୀଭୂତ ହେଉଛି । ଗତ ୨ ମାସ ମଧ୍ୟରେ ଦେଶରେ ଲଗାତର ଦୁଇଟି ବାତ୍ୟା ଆସିଥିଲା । ତଉକ୍ତେରେ ମହାରାଷ୍ଟ୍ର,ଗୁଜୁରାଟ ଆଦି ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ୟଶ୍ ଓଡିଶା ଓ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା । ଏବେ ଆଉ ଏକ ସମ୍ଭାବ୍ୟ ବାତ୍ୟା ଚିନ୍ତା ବଢାଇ ଦେଇଛି ।

ଆଇଏମ୍ଡିର କହିବାନୁସାରେ, ଦକ୍ଷିଣ-ପଶ୍ଚିମା ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅତିରୁ ଅତି ପ୍ରବଳବର୍ଷା ହୋଇପାରେ । ଆସନ୍ତା ୨ରୁ ୩ ଦିନ ଯାଏଁ ଏପରି ବର୍ଷା ଲାଗି ରହିବ । ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ମଧ୍ୟ କୁହାଯାଇଛି । ଯେପରି ବନ୍ୟା ଓ ଭୂସ୍ଖଳନର ମୁକାବିଲା କରାଯାଇ ପାରିବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଅନେକ
ସ୍ଥାନରେ ବାତ୍ୟା ଓ ଭୂସ୍ଖଳନ ହେବା ନେଇ ଆଶଙ୍କା ରହିଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଆଜି ସୁଦ୍ଧା ସମଗ୍ର ଓଡ଼ିଶା ଛୁଇଁବ ମୌସୁମୀ :

ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁଛି । ଏହା ସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଜି ଜଗତସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର ଓ ମୟୁରଭଞ୍ଜକୁ ଛୁଇଁଛି । ଏହା ସହିତ ମୌସୁମୀ ପୁରୀ,ଖୋର୍ଦ୍ଧା,ନୟାଗଡ଼ର ଅଧିକାଂଶ ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ମୌସୁମୀ ସମଗ୍ର ରାଜ୍ୟକୁ ଆବୃତ କରିବ ବୋଲି ବିଭାଗ ପକ୍ଷରୁ କୁହାଯ଼ାଇଛି । ସର୍ବଭାରତୀୟ ସ୍ତରରେ ମୌସୁମୀ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ, ବିହାର ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ପହଞ୍ଚିଛି ।

ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର ଝାଡଖଣ୍ଡ, ବିହାରକୁ ଛୁଇଁବା ସହ ଉତ୍ତରପ୍ରଦେଶର କିଛି ଅଂଶକୁ ଛୁଇଁବ । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆହୁରି ଚିହ୍ନିତ ହୋଇ ଓଡ଼ିଶା, ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.