ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବିନି

74

ଭୁବନେଶ୍ୱର : ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଏପରି ଢଙ୍ଗରେ ନକଲି ଔଷଧ ବେପାରୀଙ୍କୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି ଅଭିଯୋଗ ପାଇଲା ପରେ ନିର୍ଦ୍ଦିଷ୍ଟ ଦୋକାନ ଉପରେ ଚଢ଼ଉ କରାଯାଇ ୧୭୦ଟି ପେଟି ଫାବିପିରାଭିର ଜବତ କରାଯାଇଥିଲା । ସେଥିରେ ୨୭ ପେଟି ଅନ୍ୟ ଔଷଧ ରହିଛି । ଏଗୁଡିକ ଭୁବନେଶ୍ୱର ସମେତ କଲିକତା ସେଣ୍ଟ୍ରାଲ ଲାବ୍ରୋରେଟୋରୀକୁ ପରୀକ୍ଷା ପାଇଁ ପଠାଯାଇଛି । ବିଭିନ୍ନ ଜିଲ୍ଲାରେ ଔଷଧଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି । ଯାଞ୍ଚ ପରେ ରିପୋର୍ଟ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଶ୍ରୀ ଦାସ ଆହୁରି କହିଛନ୍ତି ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ଆକଳନ କରିଥିବାରୁ ଏଥି ପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି । ଶିଶୁଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଭାବେ ୧୬୧୦ ସାଧାରଣ ବେଡ଼ ଓ ୬୧୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି । ଶିଶୁ ଭବନରେ କୋଭିଡ୍ ୱାର୍ଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ସେହିପରି ନବଜାତ କୋଭିଡ୍ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କଣ୍ଣର୍ର୍ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ୍ କେୟାର ସେଣ୍ଟର କରାଯିବ । ଦୁଇଦିନ ତଳେ କଟକର କନିକା ଛକରେ ଏକ ଦୋକାନରୁ ନକଲି କରୋନା ମେଡିସିନ୍ ଜବତ ହୋଇଥିଲା । ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ରାଉରକେଲାରେ ୩ଟି ମେଡିସିନ୍ ଷ୍ଟୋରରେ ରେଡ୍ କରିଥିଲା । ସେଠାରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରିଥିଲା ।

ସେପଟେ କଟକରୁ ନକଲି ମେଡିସିନ ଜବତ ପରେ ଏହାର ଲିଙ୍କ୍ରେ ବଲାଙ୍ଗିରରେ ଚଢଉ ହୋଇଛି । ବଲାଙ୍ଗିର ସହର ସୁଦପଡ଼ାସ୍ଥିତ ମୋଦୀ ଫାର୍ମାସ୍ୟୁଟିକାଲରେ ଚଢଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର । ଚଢଉ ବେଳେ ଥଣ୍ଡା କାଶ ପାଇଁ ବ୍ୟବହୃତ ମେଡିସିନ ମିଳିଥିଲା । ଏହାକୁ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର କହିଛନ୍ତି । ତେବେ ପରୀକ୍ଷା ପରେ ଏହି ଔଷଧ ବାବଦରେ ତଥ୍ୟ ମିଳିବ । ଜବତ ହୋଇଥିବା ମେଡିସିନ୍ ବାବଦରେ ସଂକ୍ତୃକ୍ତ ଫାର୍ମାସ୍ୟୁଟିକାଲ କୌଣସି କାଗଜପତ୍ର ଦେଖାଇପାରିନଥିଲେ ।

Comments are closed.