ଅନ୍ଲକ୍ ନେଇ ଚାଲିଛି ତର୍ଜମା : ୫ ରେଡ୍ ଜୋନ୍ ଜିଲ୍ଲାରୁ ଖୋଲିନପାରେ ତାଲା

73

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନ୍ ରୁ ଗ୍ରୀନ୍ କୁ ଆସୁଛି । ତଥାପି ବିପଦ ଟଳିନି । ଉଭୟ ଆକ୍ଟିଭ୍ ଓ ପଜିଟିଭିଟି ନେଇ ରେଡ୍ ଜୋନ୍ ରେ ଅଛି ୫ ଜିଲ୍ଲା । ପୁରୀ, ଖୋର୍ଦ୍ଧା, କଟକ,ଯାଜପୁର ଓ ବାଲେଶ୍ୱର ଏହି ସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ୨୫୦୦ରୁ ଅଧିକ ଥିବାବେଳେ ପଜିଟିଭିଟି ରେଟ୍ ୭.୫ରୁ ଊଦ୍ଧ୍ୱର୍ ରହିଛି । ଏହିସବୁ ଜିଲ୍ଲାରେ ତାଲା ଖୋଲିନପାରେ । କଟକଣା ବଳବତ୍ତର ରହିବ ନା ମୁକାବିଲା ଷ୍ଟ୍ରାଟେଜି ସରକାର ଅଲଗା କରିବେ ତାହା ଉପରେ ରହିଛି ସମସ୍ତଙ୍କର ନଜର । ଅନ୍ଲକ୍ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ରାଜ୍ୟରେ ଅନ୍ଲକ୍ ପାଇଁ ପରିସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯିବ ।

ଜାତୀୟ ଟାକ୍ସ ଫୋର୍ସ ଓ ‘ହୁ’ର ଗାଇଡ଼୍ଲାଇନ୍କୁ ଅନୁପାଳନ କରାଯାଉଛି । ଏହାସହ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥା ଓ ଜାତୀୟସ୍ତରୀୟ ସଂସ୍ଥା ବିଶେଷଜ୍ଞମାନଙ୍କର ମତାମତ ନେଇ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବ । ଏ ଦିଗରେ ବାରମ୍ବାର ସମୀକ୍ଷା ଚାଲିଛି । ୫ ପ୍ରତିଶତ କି ୧୦ ପ୍ରତିଶତ ମାନଦଣ୍ଡ ରଖାଯିବ ତାହା ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ । ମାତ୍ର ଲୋକମାନେ ସବୁ ନିୟମ ପାଳନ କରନ୍ତୁ । ଅଯଥାରେ କର୍ଫ୍ୟୁ,ସପ୍ତାହନ୍ତ ସଟ୍ଡ଼ାଉନ ଓ କଟକଣା ପାଇଁ ବାଧ୍ୟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଆକ୍ଟିଭ୍ କେସ୍ ୟୋଲୋ ଜୋନ୍ ରେ ଅଛି । କିନ୍ତୁ ପଜିଟିଭିଟି ହାର ରହିଛି ୩.୯ପ୍ରତିଶତ । ଅନୁଗୁଳରେ ୨୭୦୦ରୁ ଅଧିକ ଆକ୍ଟିଭ୍ କେସ୍ ଥିବାବେଳେ ପଜିଟିଭିଟି ହାର ରହିଛି ୪.୭ ପ୍ରତିଶତ ।

ଆକ୍ଟିଭ୍ କେସ୍ ଅଧିକ ଥିବାରୁ ଅନୁଗୁଳରେ ଲକ୍ଡାଉନ୍ କୋହଳ ହୋଇନପାରେ । ମୟୂରଭଞ୍ଜରେ ୨୭୦୦ରୁ ଊଦ୍ଧ୍ୱର୍ ଆକ୍ଟିଭ୍ କେସ୍ ଥିବାବେଳେ ପଜିଟିଭିଟି ହାର ରହିଛି ୭ ପ୍ରତିଶତ । ସେହିପରି କେନ୍ଦ୍ରାପଡ଼ାରେ ୧୬୦୦ରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ୫.୫ ପ୍ରତିଶତ ପଜିଟିଭିଟି ହାର ରହିଛି । ଏଥିସହିତ ସେ କହିଛନ୍ତି ଯେ, ଅନ୍ଲକ୍ କଲେ ସଂକ୍ରମଣ ଆଉ ଥରେ ହେବାର ସମ୍ଭାବନା ଉପରେ ଅନୁଧ୍ୟାନ କରାଯିବ । ତା’ପରେ ସରକାର ପଦକ୍ଷେପ ନେବେ । ଭାଇରସର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି । ନର୍ମାଲ ସାଇକେଲ ବେଳେ ମ୍ୟୁଟେସନ୍ ଗୋଟେ ସାଧାରଣ ପ୍ରକ୍ରିୟା । ସେ ମଧ୍ୟରୁ କେତେକ ଇଫେକ୍ଟିଭ ଓ ଆଉ କେତେକ ଇନ୍ଇଫେକ୍ଟିଭ । ଡେଲ୍ଟା ପ୍ରଜାତି ମ୍ୟୁଟାଣ୍ଟ ଅଧିକ ପ୍ରଭାବୀ ଥିଲା । ଅନ୍ୟ ମ୍ୟୁଟାଣ୍ଟ ମଧ୍ୟ ଆସିପାରେ ।

ସେହିପରି ପୋଷ୍ଟ କୋଭିଡ କମ୍ପେଲିକେସି ନେଇ ଡିଏମ୍ଇଟି କହିଛନ୍ତି ଯେ, କୋଭିଡ ପରେ ବହୁତ ରୋଗୀମାନଙ୍କ ନିକଟରେ ଦୁର୍ବଳତା, ଭୋକ ନ ହେବା, ବେଳେବେଳେ ଅଣନିଃଶ୍ୱାସୀ ଲାଗିବା,ଚାଲିଲେ ଧାଇଁସଇଁ ହେବା ପରି ଲକ୍ଷଣ ରହୁଛି । କିଛି ଲକ୍ଷଣ ଫିଜିକାଲ ଓ କିଛି ସାଇକୋଲୋଜିକାଲ ଲକ୍ଷଣ ବି ରହୁଛି । ଯଦି କାହାର ଏମିତି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ଡାକ୍ତରଖାନା ଆସନ୍ତୁ ଓ ନିଜକୁ ପରୀକ୍ଷା କରାଇ ନିଅନ୍ତୁ । ସବୁଠୁ ବଡ଼ କଥା ହେଉଛି ଲୋକମାନେ ମାନସିକ ସ୍ତରରେ ଆଶ୍ୱସ୍ତ ରୁହନ୍ତୁ ଯେ ତାଙ୍କ ପଛରେ ସରକାରୀ କଳ ଓ ସ୍ୱାସ୍ଥ୍ୟ ବିଭାଗ ରହିଛି । ସେମାନଙ୍କୁ ଆବଶ୍ୟକ ପଡ଼ିଲେ ଡାକ୍ତରୀ ଚିକିତ୍ସା ଦେବାରେ କୌଣସି ଅସୁବିଧା ନାହିଁ । ତେଣୁ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ସହ ପୁରୁଣା ଜୀବନଶୈଳୀକୁ ଫେରିବାକୁ ଲୋକମାନେ ଚେଷ୍ଟା କରନ୍ତୁ ବୋଲି ଡ଼ିଏମ୍ଇଟି କହିଛନ୍ତି ।

ନକଲି ଔଷଧକୁ ନେଇ ଡିଏମ୍ଇଟି କହିଛନ୍ତି ଯ, ନକଲି ଔଷଧ ବେପାର ନୂଆ ନୁହେଁ । ସେଥିପାଇଁ ପୂର୍ବରୁ ମଧ୍ୟ ଆଇନ ଅଛି । ପରିସ୍ଥିତି ଆସିଲେ ମୁନାଫାଖୋର ବ୍ୟବସାୟୀ ଏମିତି କରନ୍ତି । ସରକାର ସଚେତନ ଅଛନ୍ତି । ତଦନ୍ତ ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇକ୍ମୋ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ମାନବସମ୍ବଳ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏମ୍ସ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରି ଏପର୍ଯ୍ୟନ୍ତ କରିପାରିନାହାନ୍ତି । କମ୍ପାନୀ ଯେତେ ଜଲ୍ଦି ଦେବ ଆମେ କାର୍ଯ୍ୟକ୍ଷମ କରିବୁ । ସଂକ୍ରମଣ ହାର ବା ଟିପିଆର ସବୁବେଳେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ପୁଣି କେତେବେଳେ କମୁଛି । ଘର ଭିତରେ ଅଧିକ ଲୋକ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ଯଦି ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ହାତ ଧୁଅନ୍ତୁ । କୋଭିଡ କଟକଣା ଭିତରେ ରଜ ପାଳନ କରନ୍ତୁ ।

Comments are closed.