ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍‌

71

-ଜୁଲାଇ ୧ ପର୍ୟ୍ୟନ୍ତ ଜାରି ରହିବ ଆଂଶିକ କଟକଣା
-ଲକ୍‌ଡାଉନ୍ କଟକଣା କଲେ କୋହଳ
-କମ ସଂକ୍ରମଣ ହାର ବିଶିଷ୍ଟ ୧୭ଟି ଜିଲ୍ଲାରେ ଅଧିକ କୋହଳ

ଭୁବନେଶ୍ୱର : ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣାକୁ କୋହଳ କରିବା ସହ ଜୁଲାଇ ପହିଲା ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଲାଗୁ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି ବର୍ଗରେ ବିଭକ୍ତ କରା ଯାଇ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ୧୭ ଜିଲ୍ଲାମାନଙ୍କୁ ଏ କ୍ୟାଟୋଗୋରୀରେ ରଖାଯାଇଥିବା ବେଳେ ଅନ୍ୟ ୧୩ଟି ଜିଲ୍ଲାକୁ ବି ବର୍ଗରେ ରଖାଯାଇଛି । କମ ସଂକ୍ରମଣ ହାର ବିଶିଷ୍ଟ ଏ ବର୍ଗରେ ଥିବା ୧୭ଟି ଜିଲ୍ଲାରେ ଅଧିକ କଟକଣା କୋହଳ କରା ଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ – ଏ ବର୍ଗରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ରହିଥିବା ବେଳେ ବି ବର୍ଗରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି ।

ସେ କହିଛନ୍ତି ଯେ ପାଂଚ ପ୍ରତିଶତରୁ କମ ପଜିଟିଭିଟି ହାର ଥିବା ଏ ବର୍ଗର ୧୭ଟି ଜିଲ୍ଲାଗୁଡ଼ିକରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଦୋକାନ ବଜାର ଖୋଲା ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ଦୋକାନ ଖୋଲାରହିବ ସେହିପରି ବି ବର୍ଗର ଅବଶିଷ୍ଟ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ଦିନ ଗୋଟଏ ଯାଏଁ ଦୋକାନ ବଜାର ଖୋଲା ରହିବ । ଏଠାରେ ମଧ୍ୟ ଅତ୍ୟାବଶ୍ୟକୀୟ ସମଗ୍ରୀ ଦୋକାନ ଖୋଲାରହିବ । ସେ କହିଛନ୍ତି ଯେ ଧର୍ମାନୁଷ୍ଠାନ, ମଲ୍‌, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ପୂର୍ବ ଭଳି ପ୍ରାୟ କଟକଣା ଲାଗୁ ରହିଥିବା ବେଳେ ସକାଳ ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

ସେ କହିଛନ୍ତି ଯେ – ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାଙ୍କିଂ, ଶିଳ୍ପ ସଂସ୍ଥା, ମତ୍ସ୍ୟ ଓ ପଶୁପାଳନ, ହୋମ୍ ଡେଲିଭେରୀ , ପେଟ୍ରୋଲ ପମ୍ପ, ଟେଲିକମ୍ ସେବା କାର୍ଯ୍ୟ ଜାରି ରହିବ । ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଏଥିସହିତ ସମ୍ପୃକ୍ତ ଦୋକାନ ଖୋଲା ରହିବ । ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ । ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିବ ।ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆ ଯାଇଛି । 

ସେ କହିଛନ୍ତି ଯେ ସପ୍ତାହାନ୍ତ ସଟ୍‌ଡାଉନ ବଳବତର ରହିବ । ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବ । ସଂଖ୍ୟାକୁ ନେଇ କଟକଣା ମଧ୍ୟ ବଳବତ୍ତର ରହିବ । ଜିମ୍ ସେଲୁନ୍‌, ପାର୍କ ସାରା ରାଜ୍ୟରେ ବନ୍ଦ ରହିବ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲୁ ରହିବ । ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ । ଝାଡଖଣ୍ଡ ଓ ଛତିଶଗଡ଼ରେ ସଂକ୍ରମଣ ହ୍ରାସ ପାଇଥିବାରୁ ଓଡିଶା ସୀମାରେ ଥିବା ଚେକ ପୋଷ୍ଟରେ କଟକଣା ହଟାଯିବ । ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ହାର ଅଧିକ ଥିବାରୁ ଚେକ୍ ପୋଷ୍ଟରେ କଟ କଣା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.