ଆହୁରି ବିଳମ୍ବ ହେବ ଜଗାଦର୍ଶନ : ଜୁଲାଇ ୨୫ ଯାଏ ଶ୍ରୀମନ୍ଦିର ବନ୍ଦ

71

-ବିନା ଭକ୍ତରେ ମହାସ୍ନାନ ଓ ରଥଯାତ୍ରା

ପୁରୀ : ଆହୁରି ବିଳମ୍ବ ହେବ ଜଗାଦର୍ଶନ । ଜୁଲାଇ ୨୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଶ୍ରୀମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କ୍ରିଷନ କୁମାର କହିଛନ୍ତି । ସେହିପରି ଚଳିତବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ଏପ୍ରିଲ ୨୪ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବନ୍ଦ କରାଯାଇଥିଲା ।

ପର୍ଯ୍ୟାୟକ୍ରମେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମୟସୀମା ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣ ଯୋଗୁଁ ୨ ମାସ ହେବ ବନ୍ଦ ରହିଛି ଶ୍ରୀମନ୍ଦିର । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ କମ୍ ଥିଲେ ମଧ୍ୟ

କଟକଣା ପୂରାପୂରି ଉଠି ନାହିଁ । ତେଣୁ ଆଗାମୀ ଦିନକୁ ଲକ୍ଷ୍ୟ ରଖି ପୁଣି ଶ୍ରୀମନ୍ଦିର ଖୋଲିବା ନେଇ କଟକଣା ଜାରି କରାଯାଇଛି । ସେହିରି ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଦେବା ସ୍ନାନପୂର୍ଣ୍ଣିମା । କରୋନା କଟକଣା ମଧ୍ୟ କେମିତି ହେବ ଦେବସ୍ନାନ ପୂର୍ଣ୍ଣିମା । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିବା ବେଳେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା । ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ତିନିରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା । ଆଜି ତିନି ରଥରେ ବାକି ଥିବା ଗୟଳଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣାମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବାବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ୍ୟ କରାଯାଏ ।

ରାତିରେ ଝଲସିବ ଶ୍ରୀକ୍ଷେତ୍ର :

ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର । ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍ ଇଲୁମିନେସନ୍)ରେ ଝଲସିବ ଅଁଳାବେଢ଼ାଠାରୁ ଆରମ୍ଭକରି ମେଘନାଦ ପାଚେରୀ ।ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍ ସଂଯୋଗ କରାଯିବ । ଯଦ୍ୱାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ ସ୍ପଷ୍ଟ ଦେଖିାରିବେ । ଭାରତୀୟ ତ୍ନତତ୍ତ୍ୱ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବା ବେଳେ ଏହି କାମ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଏକ ତିନିଜଣିଆ ବୈଷୟିକ ଦଳ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁଠାରୁ ବିଜୁଳି ସଂଯୋଗ ନିଆଯିବ, କେଉଁ କେଉଁ ସ୍ଥାନରେ ଲାଇଟ୍ ଲାଗିଲେ ଶ୍ରୀମନ୍ଦିର ସୁନ୍ଦର ଦିଶିବ, ସବୁର ଟିକିନିଖି ଅନୁଧ୍ୟାନ କରି ଫେରିଛନ୍ତି ।

ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ୱର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ୱ ବିଭାଗ । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିବ । କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ଏହି କାମ କରିବ । ପ୍ରକଳ୍ପର ନାମ “ଫେକେଡ୍ ଇଲୁମିନସେନ୍ ପ୍ରୋଜେକ୍ଟ’ ହୋଇଥିବା ବେଳେ ଏହା ଜରିଆରେ ଦାମୀ ଲାଇଟ୍ ସବୁ ଶ୍ରୀମନ୍ଦିର ଅଁଳାବେଢ଼ା, ଭୋଗମଣ୍ଡପ, କୁରୁମବେଢ଼ା, ଭିତର ଗୁମୁଟ, ବାଇଶି ପାହାଚ ଆଦି ସ୍ଥାନରେ ଲାଗିବ । ସେହିଭଳି ଶ୍ରୀମନ୍ଦିର ଚାରିଦ୍ୱାରରେ ବି ଆଲୋକୀକରଣ ବ୍ୟବସ୍ଥା କରାଯିବ ।

Comments are closed.